Home national news oriya ଜିଲ୍ଲାସ୍ତରୀୟ ଏଚ୍‌.ଆଇ.ଭି/ଏଡ଼ସ୍ କୁଇଜ୍ ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ଏଚ୍‌.ଆଇ.ଭି/ଏଡ଼ସ୍ କୁଇଜ୍ ପ୍ରତିଯୋଗିତା

7
0

Source :- ODIA PUA

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପି.ଏମ୍‌. ଶ୍ରୀ ଜିଲ୍ଲା ସ୍କୁଲଠାରେ ଆଜି ଏକ ଜିଲ୍ଲା ସ୍ତରୀୟ ଏଚ୍‌.ଆଇ.ଭି/ଏଡ଼ସ୍ କୁଇଜ୍ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜୁନିୟର ରେଡକ୍ରସ, ଭଦ୍ରକ ସମ୍ପୂର୍ଣ୍ଣ ସହଯୋଗ କରିଥିଲା। ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ଟି ବ୍ଲକରୁ ମୋଟ ୧୪ ଜଣ ପ୍ରତିଯୋଗୀ ସେମାନଙ୍କ ଗାଇଡ୍ ଶିକ୍ଷକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜନସ୍ୱାସ୍ଥ୍ୟ ବିଭାଗର ଏଡିଏମ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏଚ୍‌.ଆଇ.ଭି/ଏଡ଼ସ୍ ବିଷୟରେ ସଚେତନ କରାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ସହ ସମ୍ମାନିତ ଅତିଥି ଭାବେ ଜୁନିୟର ରେଡକ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ, ପି.ଏମ୍‌. ଶ୍ରୀ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିଲି ପରିଦା, ମେଡିକାଲ କର୍ମଚାରୀ ଦେବେନ୍ଦ୍ର ବାବୁ ଏବଂ ବ୍ଲକ ସଂଯୋଜକ ଧର୍ମେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କୁଇଜ୍ ପ୍ରତିଯୋଗିତାରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାସୁଦେବପୁର ଏ.ବି. ହାଇସ୍କୁଲର ଛାତ୍ର ସୌମ୍ୟରଞ୍ଜନ ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚାନ୍ଦବାଲି ଡାଖା ହାଇସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ବିଶ୍ୱାଳ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। କୃତୀ ପ୍ରତିଯୋଗୀ ଦ୍ୱୟଙ୍କୁ ପୁରସ୍କାର ସ୍ୱରୂପ ୬୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହିତ ଏହି ଦୁଇ ଜଣ ବିଜେତା ଆଗାମୀ ରାଜ୍ୟ ସ୍ତରୀୟ ଏଚ୍‌.ଆଇ.ଭି/ଏଡ଼ସ୍ କୁଇଜ୍ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି। ଶେଷରେ ସମସ୍ତ ଗାଇଡ୍ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।

SOURCE: ODIA PUA