Home national news oriya ରିଲିଫ ବଂଟନକୁ ନେଇ ବିଡିଓ ଓ ତହସିଲଦାରଙ୍କୁ ଘେରିଲା ଧାମନଗର ବିଜେଡି

ରିଲିଫ ବଂଟନକୁ ନେଇ ବିଡିଓ ଓ ତହସିଲଦାରଙ୍କୁ ଘେରିଲା ଧାମନଗର ବିଜେଡି

6
0

Source :- ODIA PUA

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକରେ ବନ୍ୟା ସହାୟତା ବଂଟନକୁ ନେଇ ବିଜେଡି ପକ୍ଷରୁ ବିଡିଓ ଓ ତହସିଲଦାରଙ୍କୁ ଘେରାଉ କରାଯାଇଛି। ବନ୍ୟା ବିପନ୍ନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ଗୋଖାଦ୍ୟ ଏବଂ ପାଲ ବଂଟନରେ ଅନିୟମିତତା ହେଉଥିବା ଏବଂ ବିଜେଡି ସମର୍ôଥତ ପିଆରଆଇ ମେମ୍ବରମାନଙ୍କୁ ଅଣଦେଖା କରାଯାଉଥିବା ବିଜେଡି ଅଭିଯୋଗ କରିଛି। ଶୁକ୍ରବାର ବିଜେଡି ନେତା ଓ ଜନପ୍ରତିନିଧିମାନେ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ ଓ ବିଡିଓ ବନବିହାରୀ ଦିଣ୍ଡାଙ୍କ ନିକଟରେ ପହଂଚି ସହାୟତା ବଂଟନରେ ଅନିୟମିତତା ଅଭିଯୋଗ ଉଠାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିବାବେଳେ ଦଳୀୟ ଅଧାରରେ ସରକାରୀ କର୍ମଚାରୀମାନେ କାର୍ଯ୍ୟ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବନ୍ୟା ପୂର୍ବରୁ ପ୍ରଶାସନର ସମୀକ୍ଷା ବୈଠକରେ ବିଜେଡି ସମର୍ôଥତ ପିଆରଆଇ ମେମ୍ବରମାନଙ୍କୁ ଡକାଯାଇନଥିଲା। ବନ୍ୟା ସମୟରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ ଭଳି ରିଲିଫ୍ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ଦାୟିତ୍ୱ ଦିଆଯାଇନଥିଲା। ରିଲିଫ୍ ବଂଟନରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରିବାକୁ ଜନପ୍ରତିନିଧିମାନେ ଦାବି କରିଥିଲେ। କେଉଁ ପଂଚାୟତକୁ କେତେ ପାଲ ଆସିଛି, କେତେ ବଂଟନ ହୋଇଛି ଏବଂ କେତେ ଷ୍ଟକ୍ ରହିଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ସରକାରୀ ସହାୟତାରେ କୌଣସି ପ୍ରକାର ଅନିୟମିତତା ବରଦାସ୍ତ କରାଯିବ ନାହିଁ। ସହାୟତା ବଂଟନରେ ସ୍ୱଚ୍ଛତା ନ ରହିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ଘେରାଉରେ ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ବ୍ଳକ ଅଧକ୍ଷ ଶର୍ମିଷ୍ଠା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଆଶୋକ ନାୟକ, ଜିଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଜିଲାପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ପୂର୍ବତନ ବ୍ଲକ ସଭାପତି ଉମେଶ ମହାନ୍ତି, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନଙ୍କ ସମେତ ବିଜେଡି ସମର୍ôଥତ ସରପଂଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ।

SOURCE: ODIA PUA