Source :- ODIA PUA

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲେଇ ଗ୍ରାମପଂଚାୟତର ବଳଭଦ୍ରପୁର-ଓଲଟୁଙ୍ଗା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍‌, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ଏକାଦଶ କ୍ରିୟା ଆଜି ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ଶିକ୍ଷାବିତ୍‌, ସମାଜସେବୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ, ସମାଜ ପ୍ରତି ତାଙ୍କର ନିଷ୍ଠା ଓ ଆଦର୍ଶମୟ ଜୀବନ ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ସ୍ୱର୍ଗତ ଦାସ କେବଳ ଜଣେ ଶିକ୍ଷକ ନୁହେଁ, ବରଂ ଜଣେ ଆଦର୍ଶ ମାର୍ଗଦର୍ଶକ ଥିଲେ, ଯିଏ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କ ବିୟୋଗ ଶିକ୍ଷା ଓ ସାମାଜିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ମତପ୍ରକାଶ କରିଥିଲେ। ଏହି ଅବସରରେ ସୁପ୍ରବଚକ ଓ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ରାଉତ, ଧର୍ମଗୁରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ଥାନୀୟ ବିଜେଡି ପଂଚାୟତ ସଭାପତି ଅଭିରାମ ସାହୁ, ବରିଷ୍ଠ ନେତା ବାବୁଲା ରାଉତ, ପ୍ରଧାନଶିକ୍ଷକ ଭୀମଚରଣ ପରୁଡ଼ା, ବିଶିଷ୍ଟ ସମାଜସେବୀ ନିର୍ମଳ ସ୍ୱାଇଁଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଶୋକାକୁଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱର୍ଗତ ଦାସଙ୍କ ଆଦର୍ଶ ଜୀବନ ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

SOURCE: ODIA PUA