Home national news oriya ଘାଇ ଭାଙ୍ଗିବା ପରେ ଦୁର୍ଦ୍ଦଶାରେ ତିରଣପାଳବାସୀ ,୧୫ ଦିନ ପରେ ବି ମରାମତି ହେଲାନି ଘାଇ,...

ଘାଇ ଭାଙ୍ଗିବା ପରେ ଦୁର୍ଦ୍ଦଶାରେ ତିରଣପାଳବାସୀ ,୧୫ ଦିନ ପରେ ବି ମରାମତି ହେଲାନି ଘାଇ, ଦ୍ୱିତୀୟ ବନ୍ୟାରେ ପୁଣି ବଢ଼ିଲା ବିପଦ ଶତାଧିକ ଘର ଜଳବନ୍ଦୀ, ଚାଷଜମି ନଷ୍ଟ; ପଲିଥିନ୍‌, ରିଲିଫ୍ ଓ କ୍ଷତିପୂରଣ ପାଇଁ ଦାବି

3
0

Source :- ODIA PUA

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାତାର ବନ୍ୟା ଓ ଘାଇ ଯୋଗୁଁ ଧାମନଗର ବ୍ଲକ ନଦୀଗାଁ ପଂଚାୟତ ଅନ୍ତର୍ଗତ ତିରଣପାଳ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିଚାଲିଛି। ଏକପଟେ ଘାଇ ଭାଙ୍ଗି ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଲଗାତାର ଦୁଇ ଦୁଇଟି ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି ଓ ଗୃହପାଳିତ ପଶୁପକ୍ଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗ୍ରାମର ୪ ନମ୍ବର ୱାର୍ଡ ସମେତ ଆଖପାଖ ଅଂଚଳର ଶତାଧିକ ପରିବାର ଏବେ ବି ବନ୍ୟାଜଳ ଘେରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଚକ୍ରଧର ସାହୁଙ୍କ ସୂଚନା ଅନୁଯାୟୀ, ପ୍ରଥମ ବନ୍ୟା ସମୟରେ ଅଣତିରିଶ ତାରିଖରେ ତିରଣପାଳ ଗ୍ରାମର ସୁଭାଷ ପଣ୍ଡାଙ୍କ ଘର ପଛପଟେ କଣ୍ଡିଆ ନଦୀରୁ ପ୍ରାୟ ୩୦ ଫୁଟ ଲମ୍ବର ଏକ ବଡ଼ ଘାଇ ଭାଙ୍ଗିଥିଲା। ଘାଇ ଭାଙ୍ଗିବା ପରେ ବନ୍ୟାଜଳ ଦ୍ରୁତଗତିରେ ଗ୍ରାମ ଭିତରକୁ ପଶିଥିଲା। ଏହାର ପ୍ରଭାବରେ ପ୍ରାୟ ୪୦୦ରୁ ୫୦୦ ଲୋକ ବନ୍ୟାଜଳ ଘେରରେ ପଡ଼ିଥିବା ବେଳେ ପ୍ରାୟ ୧୦୦ରୁ ୧୫୦ ଘର ଜଳବନ୍ଦୀ ହୋଇଥିବା ସେ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ପ୍ରଥମ ବନ୍ୟାରେ ଘାଇ ଭାଙ୍ଗିବା ପରେ ଦ୍ୱିତୀୟ ବନ୍ୟା ଆସିବା ପର୍ଯ୍ୟନ୍ତ ପ୍ରାୟ ୧୫ ଦିନ ବିତିଯାଇଥିଲା। ଏହି ସମୟ ମଧ୍ୟରେ ଘାଇ ମରାମତି କରିବା ଓ ଆଗାମୀ ବନ୍ୟାକୁ ରୋକିବା ପାଇଁ ଆବଶ୍ୟକ ବାଲିବସ୍ତା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଦ୍ୱିତୀୟ ବନ୍ୟା ଆସିବା ଦିନ ସନ୍ଧ୍ୟା ସମୟରେ ଘାଇ ନିକଟରେ ହେଲୋଜେନ୍ ଲାଇଟ୍ ଲଗାଇ ବାଲିବସ୍ତା ପକାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ସେତେବେଳକୁ ବନ୍ୟାଜଳର ପ୍ରବାହ ଏତେ ଅଧିକ ଥିଲା ଯେ ବାଲିବସ୍ତାଗୁଡ଼ିକ ମଧ୍ୟ ପାଣିରେ ଧୋଇଯାଇଥିଲା। ଫଳରେ ଗାଁବାସୀଙ୍କ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଥିବା ଚକ୍ରଧର ସାହୁ କହିଛନ୍ତି। ବନ୍ୟାଜଳ ଗ୍ରାମର ବିଭିନ୍ନ ଅଞ୍ଚଳରେ ପଶିବା ପରେ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ବ୍ରାହ୍ମଣସାହିର ସୁଭାଷ ପଣ୍ଡାଙ୍କ ଘର ସମେତ ଅନେକ ପରିବାରର ଘର ଭାଙ୍ଗିଯାଇଥିବା କୁହାଯାଇଛି। ଘର ଭିତରେ ଓ ବାହାରେ ବନ୍ୟାଜଳ ଜମି ରହିଥିବାରୁ ଲୋକେ ଅସୁରକ୍ଷିତ ପରିବେଶରେ ରହୁଛନ୍ତି। ବନ୍ୟାପାଣି ଭିତରେ ସାପ, ବେଙ୍ଗ ଓ ଅନ୍ୟାନ୍ୟ ଜୀବଜନ୍ତୁ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଛୋଟ ପିଲା, ବୟସ୍କ ଓ ମହିଳାମାନେ ବିଶେଷ ଭାବେ ଅସୁବିଧାରେ ରହୁଥିବା ବେଳେ ରାତି ସମୟରେ ଲୋକଙ୍କ ଚିନ୍ତା ଆହୁରି ବଢ଼ି ବନ୍ୟା କେବଳ ଘରଦ୍ୱାର ନୁହେଁ, ତିରଣପାଳ ଅଞ୍ଚଳର ଚାଷୀଙ୍କ ଜୀବିକାକୁ ମଧ୍ୟ ଛାରଖାର କରିଦେଇଛି। ଗରିବ ଚାଷୀମାନେ ଧାରକରଜ କରି ଓ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଓ ଅନ୍ୟାନ୍ୟ ଫସଲ ଚାଷ କରିଥିଲେ। ହେଲେ ଲଗାତାର ବନ୍ୟାଜଳ ଯୋଗୁଁ ଚାଷଜମି ଜଳମଗ୍ନ ହୋଇ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଚାଷୀମାନଙ୍କ କହିବା କଥା, ଚାଷ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ଫେରିପାଇବା ଆଶା ନାହିଁ। ଫସଲ ନଷ୍ଟ ହେବା ସହ ଆଗାମୀ ଦିନରେ ପରିବାର ଚଳାଇବା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ କୃଷି ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ବନ୍ୟା ପରେ ବିପନ୍ନ ପରିବାରଗୁଡ଼ିକୁ ରହିବା ପାଇଁ ପଲିଥିନ୍ ଯୋଗାଇବା ମଧ୍ୟ ଜରୁରୀ ହୋଇପଡ଼ିଛି। ମାତ୍ର ଏପର୍ଯ୍ୟନ୍ତ ଅନେକ ପରିବାର ପଲିଥିନ୍ ଖଣ୍ଡେ ମଧ୍ୟ ପାଇନଥିବା ଅଭିଯୋଗ କରିଛନ୍ତି। କେବଳ ଶୁଖିଲା ଖାଦ୍ୟ ସାମଗ୍ରୀ କିଛି ପରିମାଣରେ ଯୋଗାଇ ଦିଆଯାଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତା ତୁଳନାରେ ଏହା ଯଥେଷ୍ଟ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି। ବିଶୁଦ୍ଧ ପାନୀୟଜଳ, ଶୁଖିଲା ଖାଦ୍ୟ, ପଲିଥିନ୍‌, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଆବଶ୍ୟକତା ଥିବା ବେଳେ ଏସବୁ ତୁରନ୍ତ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ତିରଣପାଳ ନିକଟସ୍ଥ ଜେନାସାହି ଓ ହରିଜନ ବସ୍ତିର ଅବସ୍ଥା ମଧ୍ୟ ଚିନ୍ତାଜନକ ଥିବା ଅଭିଯୋଗ ହୋଇଛି। ଅନେକ ଘରେ ପାଣି ପଶିଯାଇଥିବାରୁ ପରିବାରଗୁଡ଼ିକ ଦୈନନ୍ଦିନ ଜୀବନରେ ଅସୁବିଧା ଭୋଗୁଛନ୍ତି। ବନ୍ୟାଜଳ ଜମି ରହିଥିବାରୁ ଶୌଚାଳୟ ବ୍ୟବହାର କରିବାରେ ମଧ୍ୟ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ପରିସ୍ଥିତିରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଗ୍ରାମରେ ଅନେକ ପରିବାରର ଗୋରୁଗାଈ ଓ ଅନ୍ୟାନ୍ୟ ଗୃହପାଳିତ ପଶୁ ବନ୍ୟାଜଳ ମଧ୍ୟରେ ରହିଥିବାରୁ ସେମାନଙ୍କ ପାଇଁ ଖାଦ୍ୟ ଓ ନିରାପଦ ଆଶ୍ରୟର ସମସ୍ୟା ଦେଖାଦେଇଛି। ପଶୁମାନଙ୍କୁ ଉଚ୍ଚ ସ୍ଥାନକୁ ନେବା ସହ ଗୋଖାଦ୍ୟ ଓ ଆବଶ୍ୟକ ପଶୁଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ତିରଣପାଳବାସୀଙ୍କ ଦାବି ହେଉଛି, ଏହି ଅଞ୍ଚଳର ଦୁର୍ଦ୍ଦଶାକୁ ସରକାର ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ। ପ୍ରଥମେ ଭାଙ୍ଗିଥିବା ଘାଇକୁ ସ୍ଥାୟୀ ଭାବେ ମରାମତି କରିବା ସହ ବନ୍ଧର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଉ। ଏଥିସହ ବନ୍ୟାପୀଡ଼ିତଙ୍କୁ ପଲିଥିନ୍‌, ଶୁଖିଲା ଖାଦ୍ୟ, ପାନୀୟଜଳ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ତୁରନ୍ତ ଯୋଗାଇ ଦିଆଯାଉ। ଚାଷୀଙ୍କ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ କ୍ଷତିପୂରଣ, ବିହନ ଓ କୃଷି ସହାୟତା ପ୍ରଦାନ କରାଯାଉ। ଗୋରୁଗାଈଙ୍କ ପାଇଁ ଗୋଖାଦ୍ୟ ଓ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉ। “ତିରଣପାଳ ଅଂଚଳର ଲୋକଙ୍କୁ ଆଉ ଏଭଳି ଦୁର୍ଦ୍ଦିନରେ ରହିବାକୁ ନପଡ଼ୁ। ସରକାର ତୁରନ୍ତ ଘାଇ ମରାମତି କରି ବନ୍ଧକୁ ସୁରକ୍ଷିତ କରନ୍ତୁ। ବନ୍ୟାପୀଡ଼ିତ ପରିବାରଙ୍କୁ ଆବଶ୍ୟକ ରିଲିଫ୍ ସାମଗ୍ରୀ, ପଲିଥିନ୍ ଓ ପାନୀୟଜଳ ଯୋଗାଇବା ସହ ଚାଷୀଙ୍କ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦିଆଯାଉ। ଏଥିସହ ଗୋରୁଗାଈଙ୍କ ପାଇଁ ମଧ୍ୟ ତୁରନ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଉ,” ବୋଲି ଚକ୍ରଧର ସାହୁ ସରକାରଙ୍କ ନିକଟରେ ବିନମ୍ର ଅନୁରୋଧ କରିଛନ୍ତି। ଘାଇ ମରାମତି ଓ ବନ୍ୟାପୀଡ଼ିତଙ୍କୁ ଆବଶ୍ୟକ ସହାୟତା ଯଦି ତୁରନ୍ତ ଯୋଗାଇ ଦିଆଯାଏ, ତେବେ ତିରଣପାଳବାସୀଙ୍କ ଦୁର୍ଦ୍ଦଶା କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

SOURCE: ODIA PUA