Home national news oriya ଜୀବିତ ମା’କୁ ମୃତ ଦର୍ଶାଇ ଜମି ହଡ଼ପ ଘଟଣା ,୧୮ ଦିନ ପରେ ଆରଆଇଙ୍କ ନାମରେ...

ଜୀବିତ ମା’କୁ ମୃତ ଦର୍ଶାଇ ଜମି ହଡ଼ପ ଘଟଣା ,୧୮ ଦିନ ପରେ ଆରଆଇଙ୍କ ନାମରେ ମାମଲା, ଗିରଫ ଦାବି

1
0

Source :- ODIA PUA

ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଜୀବିତ ମହିଳାଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ତାଙ୍କ ଘରବାଡ଼ି ଜମି ହଡ଼ପ ଘଟଣା ଏବେ ନୂଆ ମୋଡ଼ ନେଇଛି। ଧାମନଗର ତହସିଲ ଅଧୀନ ଜୟନଗର ମୌଜା (ହବିବନଗର)ର ଆଇଶା ବିବି ଗତ ଜୁଲାଇ ୧୦ ତାରିଖରେ ଧାମନଗର ଥାନାରେ ତାଙ୍କର ଦୁଇ ପୁଅ, ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ (ଆରଆଇ) ଓ ଚାରିଜଣ ସାକ୍ଷୀଙ୍କ ବିରୋଧରେ ଏତଲା ଦେଇଥିଲେ। ମାତ୍ର ପୁଲିସ ଦୀର୍ଘ ୧୮ ଦିନ ପର୍ଯ୍ୟନ୍ତ ମାମଲା ରୁଜ୍ଜୁ କରି ନଥିବାବେଳେ ଗତ ଜୁଲାଇ ୨୮ ତାରିଖରେ ସମ୍ପୃକ୍ତ ଆରଆଇ ପ୍ରକାଶ ମଲ୍ଲିକଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ମାମଲାରୁ ବାଦ୍ ଦିଆଯାଇଥିବାରୁ ଅଭିଯୋଗ କାରି ଅସନ୍ତୋଷ ପ୍ରକାଶ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଆଇଶା ବିବିଙ୍କ ନାମରେ ଥିବା ଖାତା ନମ୍ବର-୧୧୨୬/୫୮ରେ ପ୍ରାୟ ୧୪ ଡିସିମିଲ ଘରବାଡ଼ି ଜମି ଓ କୋଠାଘର ରହିଛି। ତାଙ୍କୁ ମୃତ ଦର୍ଶାଇ ତାଙ୍କ ଦୁଇ ପୁଅ ଉକ୍ତ ସମ୍ପତିକୁ ନିଜ ନାମକୁ କରାଇ ନେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ୨୦୨୫ ମସିହାରେ ଏକ ଘୋଷଣାନାମା ଦାଖଲ କରାଯାଇ ଆଇଶା ବିବି ୪୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଦର୍ଶାଯାଇଥିଲା। ସମ୍ପୃକ୍ତ ଆରଆଇ ପ୍ରକାଶ ମଲ୍ଲିକ କ୍ଷେତ୍ର ତଦନ୍ତ ନକରି ମହିଳା ମୃତ ବୋଲି ରିପୋର୍ଟ ପ୍ରଦାନ କରିଥିବା କଥା ସ୍ୱୀକାର କରିଥିବା ଅଭିଯୋଗ ହୋଇଛି। ଏହି ରିପୋର୍ଟକୁ ଆଧାର କରି ଘରବାଡ଼ି ଜମିର ରେକର୍ଡ ପରିବର୍ତନ କରାଯାଇଥିବା ଜଣାପଡ଼ିଛି। ଏପଟେ ଆଇଶା ବିବି ଅଭିଯୋଗ କରିଛନ୍ତି ଯେ, ଜୁଲାଇ ୧୦ ତାରିଖରେ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ବରଂ ୧୮ ଦିନ ପରେ କେବଳ ଆରଆଇଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଥିବାରୁ ଏହି ଘଟଣାରେ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ କାହିଁକି ବାଦ୍ ଦିଆଗଲା, ତାହାକୁ ନେଇ ସନ୍ଦେହ ପ୍ରକାସ ପାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆ ନଯାଏ ଏବଂ ତାଙ୍କ ଘରବାଡ଼ି ଜମିକୁ ପୁନର୍ବାର ତାଙ୍କ ନାମକୁ ଫେରାଇବା ପ୍ରକ୍ରିୟା ତ୍ୱରାନ୍ୱିତ ନକରାଯାଏ, ତେବେ ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଜଣେ ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ସରକାରୀ ରେକର୍ଡ ପରିବର୍ତନ ଏବଂ ମାମଲା ରୁଜ୍ଜୁରେ ବିଳମ୍ବ ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଦିଗରେ ଥାନା ଅଧିକାରୀ ଶୁଭ୍ରଜିତ ଦାସ କହିଛନ୍ତି ଅଭିଯୋଗ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ଓ ଘଟଣା ର ଅଧିକ ତଦନ୍ତ କରାଯିବ ବୋଲି କହିଥିଲେ।

SOURCE: ODIA PUA