Source :- ODIA PUA
ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ମହତାବ ସେବା ସଦନ ପରିସରରେ ଉତ୍କଳ କେଶରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୭ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ସ୍ୱର୍ଗତ ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ସଚ୍ଚିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅନିଲ କୁମାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଦୀପ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଓକିଲ ସଂଘ ସଭାପତି ଅଶୋକ ଦାସ, ଜିଲ୍ଲା ପରିଷଦ ପ୍ରତିନିଧି ପ୍ରତାପ ସାମଲ , ସଂଜୟ ମିଶ୍ର ଏବଂ ମହେଶ୍ୱର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବକ୍ତାମାନେ ଆଧୁନିକ ଓଡ଼ିଶା ଗଠନ, ଗଡ଼ଜାତ ମିଶ୍ରଣ, ଶାସନ ବ୍ୟବସ୍ଥା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଡ. ମହତାବଙ୍କ ଅତୁଳନୀୟ ଅବଦାନ ଓ ଦୂରଦୃଷ୍ଟି ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି ଅବସର ରେ ଧାମନଗର ଅଂଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସୂଚନା ଥାଉକି ମହତାବ ସେବସଦନ ର ପରିଚାଳକ ବା ତ୍ରିପାଠୀ ଙ୍କ ଗୁରୁତର ଅସୁସ୍ଥ ଥିବାରୁ ତାଂକ ର ଆସୁ ଆରୋଗ୍ୟ କାମନା କରାଯାଇଥିଲା। ଶେଷରେ ସୁଧାକର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଭଦ୍ରକ ଧାମନଗରରୁ ପ୍ରଦୀପ ମହାପାତ୍ର।
SOURCE: ODIA PUA




