Source :- ODIA PUA
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଲଗାତାର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟାର ପ୍ରକୋପରେ ଅଂଚଳର ଧନଜୀବନ, ରାସ୍ତାଘାଟ ଏବଂ ହଜାର ହଜାର ଏକର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସହାୟତା ପ୍ରଦାନ କରାଯାଉଥିବା ବେଳେ, ଏହି ଦୁର୍ଦ୍ଦିନରେ ବନ୍ୟାଗ୍ରସ୍ତ ମାନଙ୍କ ପାଇଁ ପ୍ରକୃତ ବନ୍ଧୁ ସାଜିଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀ। ଶୁକ୍ରବାର ଦିନ ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତରେ ଏଭଳି ଏକ ମାନବିକତାର କାର୍ଯ୍ୟ ଦେଖିବାକୁ ମିଳିଛି। ଭଦ୍ରକର ଜଣାଶୁଣା “ତାରିଣୀ କ୍ଲିନିକ୍’ ର ମାଲିକ ସମାଜସେବୀ ଭଗବାନ ରାଉଳ ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ପଂଚାୟତର ବିଭିନ୍ନ ଗ୍ରାମରେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ପ୍ରାୟ ୩ ଶହରୁ ଅଧିକ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।ଏହି ରିଲିଫ୍ ବଂଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଯୁବ ସମାଜସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଧର୍ମେନ୍ଦ୍ର ନାୟକ, ଉମେଶ ମହାନ୍ତି, ଅକ୍ଷୟ ନାୟକ, ତପନ ରାଉତ ଏବଂ ଲକ୍ଷ୍ମୀଧର ମାଝୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।ବନ୍ୟା ଦ୍ୱାରା ସର୍ବସ୍ୱାନ୍ତ ହୋଇଥିବା ଲୋକମାନେ ଏହି ବିପ୍ପର୍ଯ୍ୟୟ ସମୟରେ ଏଭଳି ସାହାଯ୍ୟ ପାଇବା ପରେ ସ୍ୱେଚ୍ଛାସେବୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସରକାରୀ ସହାୟତା ସହିତ ଏଭଳି ବେସରକାରୀ ସହଯୋଗ ବନ୍ୟାଂଚଳର ଲୋକଙ୍କୁ ବହୁ ପରିମାଣରେ ଆଶ୍ୱସ୍ତି ପ୍ରଦାନ କରିଛି।
SOURCE: ODIA PUA




