Source :- ODIA PUA
ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଠାରୁ ଚୁଡ଼ା କୁଟି ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ସ୍ଥାନୀୟ ଜନସାଧାରଣ ଓ ପଥଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବିପଜ୍ଜନକ ହୋଇପଡ଼ିଥିବା ବେଳେ ମରାମତି କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିବା ସମସ୍ୟାକୁ ଆହୁରି ଜଟିଳ କରିଦେଇଛି।ସୂଚନାଯୋଗ୍ୟ ଯେ, ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡ଼ିମୋଟର ସହ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି। ତେବେ ରାସ୍ତା ନିର୍ମାଣ ଓ ମରାମତି ପାଇଁ ନିକଟରେ କିଛି କାମ ଆରମ୍ଭ କରାଯାଇଥିଲେ ହେଁ ତାହା ବର୍ତମାନ ଅଧାରେ ଅଟକି ରହିଛି। ଫଳରେ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି । ଏବଂ ସ୍ଥାନେ ସ୍ଥାନେ ଗଭୀର ଖାଲଖମା ସୃଷ୍ଟି ହୋଇଥିବାରୁ ପ୍ରତିମୁହୂର୍ତରେ ଦୁର୍ଘଟଣାର ଭୟ ଲାଗିରହିଛି।ବିଶେଷ କରି ଦୁଇଚକିଆ ଯାନଚାଳକ, ସାଇକେଲ ଆରୋହୀ ଏବଂ ସ୍କୁଲ-କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଯିବାଆସିବା କରିବା ବେଳେ ପ୍ରାୟତଃ ଦୁର୍ଘଟଣାର ଶିକାର ହେଉଛନ୍ତି। ଏନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ବିଭାଗୀୟ ଉଚ୍ଚକର୍ତୃପକ୍ଷ, ସମ୍ପୃକ୍ତ ଅଧିକାରୀ ଏହି ବିଷୟ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରାଯାଇଛି।ସୂଚନା ଥାଉକି ଆଗକୁ ଦଶହରା ଓ ଉର୍ସ ଉତ୍ସବ ଥିବାରୁ ଧାମନଗର କୁ ଲକ୍ଷାଧିକ ଭକ୍ତ ଓ ଦର୍ଷକ ଙ୍କ ଭିଡ଼ ହେବ ତେଣୁ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି।
SOURCE: ODIA PUA




