Source :- ODIA PUA
ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମସ୍ୟା ଅନେକ ସମାଧାନର ଅପେକ୍ଷାରେ ଜନସାଧାରଣ। ସରକାରୀ ଯୋଜନାର ସୁଫଳ ପାଇବାକୁ ହିତାଧିକାରୀଙ୍କୁ କେତେ ଯେ ହଇରାଣ ହେବାକୁ ପଡ଼ୁଛି, ତାହାର ଚିତ୍ର ଭଗବାନପୁର ପଂଚାୟତର ମିଳିତ ଜନଶୁଣାଣି ଶିବିରରେ ସ୍ପଷ୍ଟ ହୋଇଛି। ସୋମବାର ଦିନ ଏହି ଜନ ଶୁଣାଣି ରେ ଗୋଟିଏ ପରେ ଗୋଟିଏ ଅଭିଯୋଗର ଲମ୍ବା ତାଲିକା ମଧ୍ୟରେ ମୋଟ ୧୮୭ଟି ଅଭିଯୋଗ ପତ୍ର ଦାଖଲ ହୋଇଛି। ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ମୌଳିକ ସୁବିଧାକୁ ନେଇ ଅଧିକାଂଶ ଅଭିଯୋଗ ଆସିବା ପ୍ରଶାସନିକ ବ୍ୟବସ୍ଥା ଆଗରେ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଧାମନଗର ବ୍ଲକ ର ଭଗବାନପୁର ପଂଚାୟତରେ ସୋମବାର ଅନୁଷ୍ଠିତ ଏହି ଶିବିରରେ ଅନେକ ହିତାଧିକାରୀ ନିଜ ନିଜ ସମସ୍ୟା ଜଣାଇଥିଲେ। ବାରମ୍ବାର ଆବେଦନ କରିବା ସତ୍ୱେ ଆଶାନୁରୂପ ସୁଫଳ ମିଳୁନଥିବା ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଥିଲା।ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଏସ୍ପି ମନୋଜ ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଥିଲେ।ଶିବିରରେ ଗ୍ରହଣ କରାଯାଇଥିବା ୧୮୭ଟି ଅଭିଯୋଗକୁ ସମ୍ପୃକ୍ତ ବିଭାଗ ନିକଟକୁ ପଠାଯାଇଛି। ଏହାର ସମାଧାନ ପାଇଁ ଜିଲ୍ଲାପାଳ ୭ ଦିନର ସମୟସୀମା ଧାର୍ଯ୍ୟ କରି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଅଭିଯୋଗ ଗ୍ରହଣ କରି ଫାଇଲ ରେ ସୀମିତ ନରଖି ନିର୍ଦ୍ଧାରିତ ସମୟରେ ଏହାର ଫଳପ୍ରଦ ସମାଧାନ କରିବା ଉପରେ ଏବେ ଗୁରୁତ୍ୱ ରହିଛି।ଜନଶୁଣାଣି ଶିବିରରେ ସରପଂଚ କାଂଚନ ସ୍ୱାଇଁ , ସମିତି ସଭ୍ୟ ସୁଦୀପ୍ତ ଖଟୁଆ , ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାତ୍ର ସମେତ ପଂଚାୟତ ର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ , ଏହି ଅଭିଯୋଗ କରିବାକୁ ଆସିଥିବା ଲୋକଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଆତିଥ୍ୟ ପ୍ରଦାନ କରିଥିଲେ।
SOURCE: ODIA PUA




