Source :- ODIA PUA
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅଧୀନ ଧୂଷୁରୀ-ପଙ୍ଗଟା ମୁଖ୍ୟ ରାସ୍ତା ପାର୍ଶ୍ୱରେ ନୂତନ ଭାବେ ଅନୁମୋଦନ ପାଇଥିବା ଦେଶୀ ଓ ବିଦେଶୀ ମଦର ଦୁଇଟି ଦୋକାନ ଖୋଲାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଛି। ମଦ ଦୋକାନ ନ ଖୋଲିବା ଏବଂ ଧୂଷୁରୀ ଏନ୍ଏସି ଓ ଜୋନକୁ ମଦମୁକ୍ତ କରିବା ଦାବିରେ ବୁଧବାର ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଧୂଷୁରୀ, ହସନାବାଦ, ନଦୀଗାଁ-ସାହାସପୁର, ଅର୍ଜୁନପୁର ସମେତ ପାଂଚଟି ପଂଚାୟତର ସରପଂଚ, ପୂର୍ବତନ ସରପଂଚ, ସମାଜସେବୀ ଓ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ଏହି ରାସ୍ତାରେ ମଦ ଦୋକାନ ଥିବା ସମୟରେ ଅଂଚଳରେ ମଦ୍ୟପାନ, ପାରିବାରିକ ଅଶାନ୍ତି, ସଡ଼କ ଦୁର୍ଘଟଣା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏହାଦ୍ୱାରା ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଇଛି , ଏହାସହ ଅଂଚଳର ଶାନ୍ତିଶୃଙ୍ଖଳା ବ୍ୟାହତ ଘଟୁଛି। ତେଣୁ ନୂତନ ଲାଇସେନ୍ସ ମଞ୍ଜୁର ହୋଇଥିଲେ ମଧ୍ୟ ଜନମତକୁ ସମ୍ମାନ ଦେଇ ଉକ୍ତ ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ନ ଦେବାକୁ ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୩ ଦିନ ତଳେ ହରିହଂଶ ନିକଟରେ ଏହି ପାଂଚଟି ପଂଚାୟତର ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ଓ ଗ୍ରାମବାସୀ ଏକତ୍ରିତ ହୋଇ ମଦ ଦୋକାନ ଖୋଲାକୁ ବିରୋଧ କରିଥିଲେ। ଆଜିର ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ସରପଂଚ ଝରଣା ମାଝି, ଅଜୟ ମଲ୍ଲିକ, ବରିଷ୍ଠ ସିପିଏମ୍ ନେତା ଚନ୍ଦ୍ରଶେଖର ନାୟକ, ସନ୍ଦୀପ ଶଙ୍କର ସ୍ୱାଇଁ, ନିରଞ୍ଜନ ମାଝୀ, ସରସ୍ୱତୀ ସାହୁ, ନରେନ୍ଦ୍ର ନାରାୟଣ ନାୟକ, ବିମ୍ବାଧର ବିଶ୍ୱାଳ, ସଞ୍ଜୟ ହୋତା, ଦେବେନ୍ଦ୍ର ପଣ୍ଡା, ରୋହିତ ନାୟକଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଂଚଳବାସୀ ଉପସ୍ଥିତ ଥିଲେ।
SOURCE: ODIA PUA







