Home national news oriya ପ୍ରତିଶ୍ରୁତି ପୂରଣ କରୁନାହାନ୍ତି ସରକାର, ଶହୀଦ ଦିବସ ବର୍ଜନ କରିବେ ସଂଗ୍ରାମୀଙ୍କ ଦାୟାଦ

ପ୍ରତିଶ୍ରୁତି ପୂରଣ କରୁନାହାନ୍ତି ସରକାର, ଶହୀଦ ଦିବସ ବର୍ଜନ କରିବେ ସଂଗ୍ରାମୀଙ୍କ ଦାୟାଦ

4
0

Source :- ODIA PUA

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ଓ ଜାତିର ସ୍ୱାଧୀନତା ସଂଗ୍ରାମରେ ଆତ୍ମ ବଳୀଦାନ ଦେଇଥିବା ଶହୀଦଙ୍କ ପରିବାର ପାଇଁ ସରକାର ଦେଇ ଆସିଥିବା ଏକାଧିକ ପ୍ରତିଶ୍ରୁତି ପୂରଣ କରାଯାଇନାହିଁ।ଏହାର ପ୍ରତିବାଦରେ ସଂଗ୍ରାମୀଙ୍କ ଦାୟାଦମାନେ ଆସନ୍ତା ସେପ୍େଟମ୍ବର ମାସରେ ପାଳିତ ହେବାକୁ ଥିବା ଇରମ ଏବଂ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ଶହୀଦ ଦିବସ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି।ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କ ନେତୃତ୍ୱରେ ଧାମନଗର ବ୍ଲକର ଲୁଣିଆ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୯ ସହିଦ ପରିବାରର ସଦସ୍ୟ ଏବଂ ବାସୁଦେବପୁର ବ୍ଲକର ଐତିହାସିକ ଇରମ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨୯ ସହିଦଙ୍କ ପରିବାରର ସଦସ୍ୟମାନେ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ରାଜୁଆଳି ବିନ୍ଧା ଠାରେ ଏକତ୍ରିତ ହୋଇଥିଲେ।ଉପସ୍ଥିତ ସହିଦ ପରିବାର ସଦସ୍ୟ ସରକାରଙ୍କ ଉପରେ ସେମାନଙ୍କ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରିବା ସହ ଦାବି ପୂରଣ ପାଇଁ ମତ ଦେଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଲୁଣିଆରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୯ ସହିଦଙ୍କ ପରିବାର ଏବଂ ଇରମ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨୯ ସହିଦଙ୍କ ପରିବାର ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ସେମାନଙ୍କ ନ୍ୟାୟସଙ୍ଗତ ଦାବି ଉପସ୍ଥାପନ କରି ଆସୁଛନ୍ତି। ତେବେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବାରୁ ଏବେ ସେମାନେ ଆନ୍ଦୋଳନମୁଖୀ ହୋଇଛନ୍ତି। ସହିଦ ପରିବାରଙ୍କ ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪ ମସିହା ଅଗଷ୍ଟ ୯ ତାରିଖରେ ସହିଦ ପରିବାରଙ୍କ ପାଇଁ ସ୍ୱତନ୍ତ୍ର କୁଟୁମ୍ବ ପେନ୍ସନ ଯୋଜନା ପ୍ରସ୍ତୁତ କରାଯିବା ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହିଦ ପରିବାରଙ୍କ ପାଇଁ ପେନ୍ସନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା।କିନ୍ତୁ ଦୁଇ ବର୍ଷ ପରେ ସୁଦ୍ଧା ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ। ପୂର୍ବ ସରକାର ସମୟରେ ମଧ୍ୟ ସେମାନଙ୍କ ଦାବି ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିଲା। ବର୍ତମାନର ସରକାର ଆସିବା ପରେ ନୂଆ ଆଶା ସୃଷ୍ଟି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଫଳରେ ଅନେକ ସହିଦ ପରିବାର ଆଜି ମଧ୍ୟ ଦୈନନ୍ଦିନ ଜୀବନଯାପନ ପାଇଁ ସଂଘର୍ଷ କରୁଥିବା ଅଭିଯୋଗ କରିଛନ୍ତି। ଲୁଣିଆ ଗୁଳିକାଣ୍ଡରେ ସହିଦ ଶ୍ୟାମ ମହାଳିକଙ୍କ ନାତି ଅକ୍ଷୟ କୁମାର ମହାଳିକ, ସହିଦ ନିଧି ମହାଳିକଙ୍କ ପୁଅ ମହେଶ୍ୱର ମହାଳିକ, ସହିଦ କୃଷ୍ଣ ମହାଳିକଙ୍କ ନାତୁଣୀ କୁନ୍ତଳା ମହାଳିକ, ସହିଦ ଅଗଣି ସାହୁଙ୍କ ନାତି ମହେଶ୍ୱର ସାହୁ, ସହିଦ ନବକିଶୋର ନାୟକଙ୍କ ନାତୁଣୀ ଲୋପାମୁଦ୍ରା ନାୟକ ଏବଂ ସହିଦ ଗୌରୀ ଜେନାଙ୍କ ନାତି ମାୟାଧର ଜେନା ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ସେମାନଙ୍କ ଦାବି ତୁରନ୍ତ ପୂରଣ ପାଇଁ କହିଛନ୍ତି। ଏମାନେ କହିଛନ୍ତି, “ଆମ ପୂର୍ବଜମାନେ ଏହି ମାଟି ଓ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। କିନ୍ତୁ ଆଜି ଆମେ ସେହି ସହିଦଙ୍କ ପରିବାର ହୋଇ ମଧ୍ୟ ନିଜ ଅଧିକାର ଓ ସମ୍ମାନ ପାଇଁ ସଂଘର୍ଷ କରୁଛୁ। ସରକାର ସହିଦ ପରିବାରଙ୍କୁ ଆଉ ଅଣଦେଖା ନକରି ଆମର ନ୍ୟାୟସଙ୍ଗତ ଦାବିଗୁଡ଼ିକ ତୁରନ୍ତ ପୂରଣ କରନ୍ତୁ। ସହିଦ ପରିବାରଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର କୁଟୁମ୍ବ ପେନ୍ସନ ଯୋଜନା ତୁରନ୍ତ ଲାଗୁ କରାଯାଉ।ସହିଦ ପରିବାରର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦେବା ସହ ସରକାରୀ ସ୍ତରରେ ସ୍ୱତନ୍ତ୍ର ସମ୍ମାନ ଦିଆଯାଉ। ସେମାନଙ୍କ ପିଲାମାନଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବା ସଙ୍ଗେ ସଙ୍ଗେ ପରିବାର ସଦସ୍ୟମାନଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ସ୍ୱତନ୍ତ୍ର ସହାୟତା ଓ ଯୋଜନା ଘୋଷଣା କରାଯାଉ।ଏଥି ସହିତ- ସହିଦ ପରିବାରଙ୍କ ପାଇଁ ସ୍ୱତନ୍ତ୍ର ଆବାସ ବ୍ୟବସ୍ଥା କରାଯାଉ।ଉପରୋକ୍ତ ଦାବି ପ୍ରତି ତୁରନ୍ତ ଦୃଷ୍ଟି ଦିଆନଗଲେ ସେମାନେ ଆସନ୍ତା ସେପ୍େଟମ୍ବର ମାସ ୨୨ ତାରିଖରେ ହେବାକୁ ଥିବା ଲୁଣିଆ ଗୁଳିକାଣ୍ଡ ସ୍ମୃତି ଦିବସ ଏବଂ ସେପ୍େଟମ୍ବର ୨୮ର ଇରମ ଗୁଳିକାଣ୍ଡ ସ୍ମୃତି ବହନ କରୁଥିବା ଶହୀଦ ଦିବସ ପାଳନ ଠାରୁ ଦୂରେଇ ରହିବେ ବୋଲି ଚେତାବନୀ ଦେଇଛନ୍ତି।

SOURCE: ODIA PUA