Home national news oriya ବନ୍ୟା ବିପନ୍ନଙ୍କୁ ୭୦ ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ ବଂଟନ,ପାଣି ଘେରରେ ୧୯ହଜାର ଗୋସମ୍ପଦ,୧୩ହଜାର ଛେଳି,ମେଣ୍ଢା ଓ...

ବନ୍ୟା ବିପନ୍ନଙ୍କୁ ୭୦ ଆଶ୍ରୟ ସ୍ଥଳରେ ରନ୍ଧାଖାଦ୍ୟ ବଂଟନ,ପାଣି ଘେରରେ ୧୯ହଜାର ଗୋସମ୍ପଦ,୧୩ହଜାର ଛେଳି,ମେଣ୍ଢା ଓ ୬ହଜାର କୁକୁଡ଼ା

2
0

Source :- ODIA PUA

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବବ୍ୟା ପରିସ୍ଥିତି ଉପୁଜି ୧୪ ପଂଚାୟତ ୫୨ ଗାଁର ୪୬ ହଜାର ୩୭୫ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ବ୍ଲକ ପ୍ରଶାସନ ସଜାଗ ରହିଛି। ପ୍ରଶାସନ ପକ୍ଷରୁ ୭୦ଟି ରନ୍ଧନ ଶାଳା ଖୋଲାଯାଇ ବିପନ୍ନଙ୍କୁ ମାଗଣା ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ୧୨୦ କୁଇଂଟାଲ ଚୁଡା ଓ ୧୨ କୁଇଂଟାଲ ଗୁଡ଼ ବଂଟନ କରାଯାଉଛି ବୋଲି ବିଡ଼ିଓ ନିରଞ୍ଜନ ବାରିକ ସୂଚନା ଦେଇଛନ୍ତି।ବନ୍ୟାରେ ବ୍ଲକଅଧୀନ ୧୧ପଂଚାୟତର ୩୨ଟି ଗାଁରେ ୩୧୫ଟି ନଳକୂପ ପ୍ରଭାବିତ ହୋଇଥିବାରୁ ପାନୀୟ ଜଳ ସମସ୍ୟା ଉପୁଜିଥିବା ଜଣାଯାଇଛି । ତେବେ ଏହି ସମସ୍ୟାକୁ ଦୃଷ୍ଟିରେରଖି ବ୍ଲକ ଜଳ ପରିମଳ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାରୋ, ବିଲଣା, ତଳଗୋପବିନ୍ଧା, ବୋଡ଼କ ଓ କାଁପଡ଼ା ପଂଚାୟତରେ ୯ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଥିସହିତ ବିଭିନ୍ନ ବନ୍ୟାପ୍ଲାବିତ ପଂଚାୟତରେ ସୋମବାର ସୁଦ୍ଧା ୪ହଜାର ପାଣି ପାଉଚ ବଂଟନ କରାଯାଇଥିବା ଜଳ ଓ ପରିମଳ ବିଭାଗ ସହକାରୀଯନ୍ତ୍ରୀ ମାନସୀ ମହାପାତ୍ର କହିଛନ୍ତି।ସେହିପରି ବନ୍ୟା ଅଂଚଳରେ ୧୯ହଜାର ଗୋସମ୍ପଦ, ୧୩ହଜାର ଛେଳି, ମେଣ୍ଢା ଏବଂ ୬ହଜାର କୁକୁଡ଼ା ପ୍ରଭାବିତ ହୋଇଥିବା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ନିରାକାର ଜେନା ସୂଚନା ଦେଇଛନ୍ତି । ତେବେ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ବିଭିନ୍ନ ପଂଚାୟତରେ ୭ଟି କ୍ୟାମ୍ପ କରାଯାଇଛି । ଗାଈଗୋରୁଙ୍କ ପାଇଁ ଆସିଥିବା ୭୦ମେଟ୍ରିକ ଟନ ଗୋଖାଦ୍ୟ ମଙ୍ଗଳବାର ବଂଟନ କରାଯିବ ବୋଲି ଡା. ଜେନା କହିଛନ୍ତି । ତିହିଡି଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବନ୍ୟାପ୍ଲାବିତ ୯ଟି ସ୍ଥାନରେ ତୁରନ୍ତ ଚିକିତ୍ସା ସେବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୪ ଜଣ ଲେଖାଏଁ କର୍ମଚାରୀଙ୍କୁ ନେଇ ଗଠିତ ୨ଟି ମୋବାଇଲ ଟିମ ଏବଂ ୩ଜଣକୁ ନେଇ ଗଠିତ ଗୋଟିଏ ରାପିଡ଼ ରେସପନସ ଟିମ ବନ୍ୟାଂଚଳ ପରିକ୍ରମାକରି ଜରୁରୀ ସେବା ଯୋଗାଇ ଦିଆଯାଉଛି ବୋଲି ମେଡ଼ିକାଲ ଅଫିସର ଡା. ଶୁଭକାନ୍ତ ଓଝା ଓ ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଛନ୍ତି । ସାଳନ୍ଦୀ ନଦୀର ଶାଖା ନାଳିଆ ନଦୀ ବନ୍ଧର ଲଞ୍ଜାତର ନିକଟରେ ୨ଟି ଘାଇ ହୋଇଥିବାରୁ ବିଲଣ। ପଂଚାୟତର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିବା ଖବର ମିଳିଛି।ସାଳନ୍ଦୀ ଜଳସେଚନ ବିଭାଗ ତୁରନ୍ତ ଦୃଷ୍ଟିଦେଇ ଘାଇ ମରାମତି କରିବାକୁ ପଂଚାୟତବାସୀ ଦାବି କରିଛନ୍ତି।ତେବେ ଜଳବନ୍ଦୀ ହୋଇଥିବା ବିପନ୍ନମାନେ ଦୁର୍ଦ୍ଦଶା ଭୋଗୁଥିବା ଜଣାଯାଇଛି।

SOURCE: ODIA PUA