Home national news oriya ବନ୍ୟା ବିପର୍ଯ୍ୟୟରେ ଲୋକଙ୍କ ସେବା ହିଁ ପ୍ରାଥମିକତା,ଚାଷୀଙ୍କ ପୁନର୍ବାସ ଓ ସ୍ଥାୟୀ ସମାଧାନ ପାଇଁ ପ୍ରୟାସ...

ବନ୍ୟା ବିପର୍ଯ୍ୟୟରେ ଲୋକଙ୍କ ସେବା ହିଁ ପ୍ରାଥମିକତା,ଚାଷୀଙ୍କ ପୁନର୍ବାସ ଓ ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଜାରି ରହିବ- ରଘୁନାଥ ଲେଙ୍କା

3
0

Source :- ODIA PUA

ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଚଳିତ ବନ୍ୟା ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ବିଶେଷକରି କଟସାହି ଗ୍ରାମ ପଂଚାୟତ ସମେତ ଅନେକ ପଂଚାୟତରେ ବନ୍ୟା ପାଣି ପ୍ରବେଶ କରିବାରୁ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି ଏବଂ ହଜାର ହଜାର ଲୋକ ବିପର୍ଯ୍ୟସ୍ତ ଜୀବନ ବିତାଉଛନ୍ତି। ଏଭଳି ପରିସ୍ଥିତିରେ ସରକାରୀ ସହାୟତାକୁ ଲୋକଙ୍କ ପାଖରେ ପହଂଚାଇବା ଏବଂ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଠିଆ ହେବାକୁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି କଟସାହି ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ରଘୁନାଥ ଲେଙ୍କା। ରଘୁନାଥ ଲେଙ୍କା କହିଛନ୍ତି ଯେ, ଧାମନଗର ବ୍ଲକ ବର୍ଷ ବର୍ଷ ଧରି ବନ୍ୟାପ୍ରବଣ ଅଂଚଳ ଭାବେ ପରିଚିତ। ପ୍ରତିବର୍ଷ ବନ୍ୟା ଚାଷୀଙ୍କ ଆର୍ôଥକ ମେରୁଦଣ୍ଡକୁ ଦୁର୍ବଳ କରୁଥିବା ବେଳେ ଚଳିତ ବର୍ଷର ବନ୍ୟା ସ୍ଥିତି ଅଧିକ ଭୟାବହ ରହିଛି। ବିସ୍ତୃତ ଧାନ କ୍ଷେତ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଅନେକ ଚାଷୀ ଚଳିତ ବର୍ଷର ସମସ୍ତ ପୁଞ୍ଜି ବନ୍ୟାରେ ହରାଇ ନିରାଶାରେ ଦିନ କାଟୁଛନ୍ତି। ସେ କହିଛନ୍ତି, ବହୁ ଗ୍ରାମ ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିଥିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଥିବାରୁ ଗମନାଗମନ ବନ୍ଦ ହୋଇଛି। ଲୋକମାନେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଜାର, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ଠାରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଅନେକ ଗ୍ରାମରେ ପ୍ରଶାସନ ଓ ସ୍ଥାନୀୟ ପ୍ରତିନିଧିମାନେ ପହଂଚି ରିଲିଫ୍ କାର୍ଯ୍ୟ କରୁଛନ୍ତି। ତାଙ୍କ କହିବାନୁସାରେ, ସରକାର ଓ ସ୍ଥାନୀୟ ବିଧାୟକଙ୍କ ନିର୍ଦ୍ଦେଶରେ ବନ୍ୟାପୀଡ଼ିତ ଅଂଚଳରେ ସୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପିଇବା ପାଣି, ପଲିଥିନ୍ ଏବଂ ଆବଶ୍ୟକୀୟ ସହାୟତା ସାମଗ୍ରୀ ବଂଟନ କରାଯାଉଛି। ଏହା ସହିତ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଖାଦ୍ୟ ବ୍ୟବସ୍ଥା କରାଯାଉଛି। କୌଣସି ପରିବାର ସହାୟତାରୁ ବଂଚିତ ନ ହୁଅନ୍ତୁ, ସେଥିପାଇଁ ସ୍ଥାନୀୟ କାର୍ଯ୍ୟକର୍ତା ଓ ପ୍ରଶାସନ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି। ରଘୁନାଥ ଲେଙ୍କା କହିଛନ୍ତି ଯେ, କେବଳ ତୁରନ୍ତ ରିଲିଫ୍ ନୁହେଁ, ବରଂ ଦୀର୍ଘମିଆଦି ପୁନର୍ବାସ ଓ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟର ଉନ୍ନତି, ନିମ୍ନାଂଚଳରେ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଏବଂ ଭବିଷ୍ୟତରେ ବନ୍ୟା କ୍ଷତି କମାଇବା ପାଇଁ ବିଭିନ୍ନ ପ୍ରସ୍ତାବ ସ୍ଥାନୀୟ ବିଧାୟକଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆଗାମୀ ଦିନରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସରକାରଙ୍କ କ୍ଷତିପୂରଣ, କୃଷି ସହାୟତା ଏବଂ ବିକଳ୍ପ ଫସଲ ଚାଷ ସମ୍ପର୍କିତ ଯୋଜନା ସଠିକ୍ ଭାବେ ପହଂଚାଇବା ଆବଶ୍ୟକ। ଯେଉଁ ଚାଷୀମାନେ ଏହି ବର୍ଷ ପୁନର୍ବାର ଚାଷ କରିବାର ସୁଯୋଗ ପାଇବେ ନାହିଁ, ସେମାନଙ୍କୁ ବିକଳ୍ପ ଜୀବିକା ଓ ଅଧିକ ଅମଳକ୍ଷମ ଫସଲ ଚାଷ ପାଇଁ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଦରକାର। ଶେଷରେ ରଘୁନାଥ ଲେଙ୍କା କହିଛନ୍ତି ଯେ, ବନ୍ୟା ସମୟରେ ସ୍ଥାନୀୟ ବିଧାୟକ ନିରନ୍ତର ଭାବେ ବନ୍ୟାପୀଡ଼ିତ ଅଂଚଳ ଗସ୍ତ କରି ଲୋକଙ୍କ ଦୁଃଖସୁଖରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟ ପାଇଁ ଜିଲ୍ଲା ଏବଂ ରାଜ୍ୟସ୍ତରରେ ତାଙ୍କ ଉଦ୍ୟମ ପ୍ରଶଂସିତ ହେଉଥିବା ସେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ବନ୍ୟାପୀଡ଼ିତଙ୍କ ସେବା, ପୁନର୍ବାସ ଓ ଅଂଚଳର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।

SOURCE: ODIA PUA