Home national news oriya ସେବା ଓ ଭକ୍ତିର ଅନନ୍ୟ ନିଦର୍ଶନ: କୋଠାର ଛକରେ ବୋଲବମ୍ ଭକ୍ତଙ୍କ ପଦସେବା କଲେ ମନ୍ତ୍ରୀ...

ସେବା ଓ ଭକ୍ତିର ଅନନ୍ୟ ନିଦର୍ଶନ: କୋଠାର ଛକରେ ବୋଲବମ୍ ଭକ୍ତଙ୍କ ପଦସେବା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

3
0

Source :- ODIA PUA

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଶ୍ରାବଣ ମାସର ଶ୍ରଦ୍ଧା ଓ ବିଶ୍ୱାସର ମାହୋଲ ଭିତରେ ଧାମନଗର ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ଜନସେବା ଓ ସମର୍ପଣର ଏକ ଅପୂର୍ବ ନିଦର୍ଶନ। ପ୍ରସିଦ୍ଧ ଆରଡ଼ିର ପୀଠାଧୀଶ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଦୂରଦୂରାନ୍ତରୁ କାନ୍ଧରେ କାଉଡ଼ି ବୋହି ଚାଲିଚାଲି ଆସୁଥିବା ବୋଲବମ୍ ଭକ୍ତଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦେଇଛନ୍ତି ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। କୋଠାର ଛକଠାରେ ଆୟୋଜିତ ଏହି ସେବା ଶିବିରରେ ମନ୍ତ୍ରୀ ଶ୍ରୀ ସୂରଜ ନିଜେ ଭୂମିରେ ବସି କ୍ଲାନ୍ତ ଓ ଶାନ୍ତ କାଉଡ଼ିଆ ଭାଇଭଉଣୀଙ୍କୁ ଆଦରର ସହ ଚେୟାରରେ ବସାଇ ଉଷୁମ ପାଣିରେ ସେମାନଙ୍କ ପାଦ ଧୋଇ ଦେଇଥିଲେ। ଜଣେ ଜନପ୍ରତିନିଧିଙ୍କର ଏଭଳି ସାଧାରଣ, ନମ୍ର ଓ ସେବାପରାୟଣ ମନୋଭାବ ଉପସ୍ଥିତ ସମସ୍ତ ଶିବଭକ୍ତ ଓ ଜନସାଧାରଣଙ୍କ ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଛି। ମନ୍ତ୍ରୀଙ୍କ ଏହି ନିରାଡ଼ମ୍ବର କାର୍ଯ୍ୟ ସାଂସ୍କୃତିକ ମୂଲ୍ୟବୋଧ, ଭକ୍ତି ଓ ପ୍ରଜାସେବାର ଏକ ନୂତନ ମାପଦଣ୍ଡ ସ୍ଥାପନ କରିଛି। ଏହି ସେବା ପବିତ୍ର ଶ୍ରାବଣ ମାସର ଭାବପୂର୍ଣ୍ଣ ମାହୋଲକୁ ଆହୁରି ମହିମାମଣ୍ଡିତ କରିବା ସହ ସାଧାରଣ ଲୋକଙ୍କ ସହ ମନ୍ତ୍ରୀଙ୍କ ଗଭୀର ଆତ୍ମୀୟତାକୁ ଆଉଥରେ ପ୍ରମାଣିତ କରିଛି। ପାଦ ଧୋଇବା ପରେ ମନ୍ତ୍ରୀଙ୍କ ସହଯୋଗୀମାନେ କାଉଡ଼ିଆମାନଙ୍କୁ ଦରଜ ନିବାରକ ସ୍ପ୍ରେ ଏବଂ ଅମୃତାଞ୍ଜନ ପାଉଚ୍ ବାଣ୍ଟି ସେମାନଙ୍କ ଶାରୀରିକ କଷ୍ଟ ଦୂର କରିବାକୁ ଚେଷ୍ଟା କରିଥିଲେ। ମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପଞ୍ଚାୟତ ସ୍ତରର ଅନେକ ଜନପ୍ରତିନିଧି ମଧ୍ୟ ଭକ୍ତଙ୍କ ପଦସେବାରେ ସାମିଲ ହୋଇଥିଲେ। ଭକ୍ତଙ୍କ ସୁବିଧା ପାଇଁ କୋଠାର ଛକଠାରେ ଭବ୍ୟ ଟେଣ୍ଟ ନିର୍ମାଣ କରାଯାଇ ବିଶ୍ରାମ, ସୁଷମ ଭୋଜନ, ଏବଂ ପାଣି ଭରା କାଉଡ଼ି ରଖିବା ପାଇଁ ସଂଗାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଦୁଇଟି ଭ୍ରାମ୍ୟମାଣ ପାଣି ଟାଙ୍କି ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ଧାମନଗର ବ୍ଲକ ପ୍ରତିନିଧି ଅଶୋକ ପୁହାଣ, ବରିଷ୍ଠ ନେତା ମନୋରଞ୍ଜନ ମଲ୍ଲିକ, ଚତୁର୍ଭୁଜ ନାୟକ, ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ ସୂତାର, ଗ୍ରାମୀଣ ମଣ୍ଡଳ ସଭାପତି ଶ୍ରୀକାନ୍ତ ନାୟକ, ଏବଂ ଅସୁରାଳି ମଣ୍ଡଳ ସଭାପତି ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଭକ୍ତସେବାରେ ନିଜକୁ ନିୟୋଜିତ କରିଥିଲେ। ଲୋକଙ୍କ ସୁଖଦୁଃଖରେ ସଦାସର୍ବଦା ଛିଡ଼ା ହେଉଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ଏହି ନିଷ୍ଠାପର ସେବା କାର୍ଯ୍ୟ ସମଗ୍ର ଅଞ୍ଚଳରେ ବହୁ ପ୍ରଶଂସିତ ହୋଇଛି।ା

SOURCE: ODIA PUA