Source :- ODIA PUA
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲ୍ଲାର ଧର୍ମଶାଳା, ବରୀ ଓ ବିଞ୍ଝାରପୁର ଅଂଚଳରୁ ବିପୁଳ ପରିମାଣରେ ବାଲି ଉତୋଳନ କରାଯାଇ ଧାମନଗର ଦେଇ ଭଦ୍ରକ ଓ ବାଲେଶ୍ୱର ଅଂଚଳକୁ ପରିବହନ ହେଉଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଦିନ ସନ୍ଧ୍ୟା ହେଲେ ଶହ ଶହ ୧୦ ଓ ୧୬ ଚକିଆ ହାଇୱା ବାଲି ବୋଝେଇ କରି ଧାମନଗର ରାସ୍ତାରେ ଗର୍ଜନ କରୁଥିବା ବେଳେ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ଅତିଭାରୀ ଗାଡ଼ିଗୁଡ଼ିକ ରାତି ସମୟରେ ଦୀର୍ଘ ଧାଡ଼ିରେ ଯାତାୟାତ କରୁଥିବା ବେଳେ ଅନେକ ସମୟରେ ଥାନା ଓ ପ୍ରଶାସନିକ କାର୍ଯ୍ୟାଳୟ ନିକଟ ଦେଇ ମଧ୍ୟ ଅବାଧରେ ଯାଉଛନ୍ତି। ଏତେ ବଡ଼ ପରିମାଣର ପରିବହନ ସତ୍ୱେ ସମ୍ପୃକ୍ତ ବିଭାଗର ନଜରକୁ ନ ଆସିବା ଘଟଣାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି।ପ୍ରତ୍ୟେକ ହାଇୱାରେ ୨୫ରୁ ୩୦ ଟନ୍ ପର୍ଯ୍ୟନ୍ତ ବାଲି ପରିବହନ କରାଯାଉଥିବାରୁ ରାସ୍ତା ଉପରେ ଅତ୍ୟଧିକ ଚାପ ପଡ଼ୁଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଅଳ୍ପ ସମୟ ମଧ୍ୟରେ କ୍ଷତିଗ୍ରସ୍ତ ହେଉଥିବା ବେଳେ ସରକାରୀ ସମ୍ପତିର ଭାରି କ୍ଷତି ଘଟୁଥିବା ଅଭିଯୋଗ ହେଉଛି। କେବଳ ରାସ୍ତା ନୁହେଁ, ଲୋକଙ୍କ ସୁରକ୍ଷା ମଧ୍ୟ ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ନିୟମ ଅନୁଯାୟୀ ବାଲି ବୋଝେଇ ଗାଡ଼ିକୁ ତାରପୋଲିନ୍ରେ ସମ୍ପୂର୍ଣ୍ଣ ଭାବେ ଢାଙ୍କିବା କଥା ଥିବା ବେଳେ ଅଧିକାଂଶ ଗାଡ଼ିରେ କେବଳ ନାମକୁ ମାତ୍ର ସବୁଜ ଜାଲି ବ୍ୟବହାର କରାଯାଉଛି। ଏହା ଯୋଗୁଁ ବାଲି ଉଡ଼ି ରାସ୍ତା ଉପରେ ଜମୁଥିବା ବେଳେ ଦୁଇଚକିଆ ଯାନ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସେହିପରି ଧୂଳି ପ୍ରଦୂଷଣ ଯୋଗୁଁ ରାସ୍ତାକଡ଼ରେ ଥିବା ଦୋକାନୀ ଓ ବାସିନ୍ଦାମାନେ ଅତିଷ୍ଟ ହୋଇପଡ଼ିଛନ୍ତି। ରାଜ୍ୟର ବିଭିନ୍ନ ଅଂଚଳରେ ବେଆଇନ ବାଲି ଖନନ ଓ ପରିବହନ ବିରୋଧରେ ପ୍ରଶାସନ ପକ୍ଷରୁ ନିୟମିତ ଚଢ଼ାଉ, ଗାଡ଼ି ଜବତ ଓ ଗିରଫ ଭଳି କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଧାମନଗର ଅଂଚଳରେ ଏତେ ବିପୁଳ ପରିମାଣର ବାଲି ପରିବହନ ସତ୍ୱେ କୌଣସି ଦୃଶ୍ୟମାନ ପଦକ୍ଷେପ ନ ଦେଖାଯିବାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କ ମଧ୍ୟରେ ଏବେ ଗୋଟିଏ ପ୍ରଶ୍ନ ଜୋର ଧରିଛି “ଏହି ଚୋରା ବାଲି କାରବାର ପଛରେ କାହାର ଆଶୀର୍ବାଦ ରହିଛି” ଯଦି ସବୁକିଛି ନିୟମ ମୁତାବକ ଚାଲିଛି, ତେବେ ପରିବହନ ସମ୍ବନ୍ଧୀୟ ଦଲିଲ ଓ ଅନୁମତିପତ୍ର ସାର୍ବଜନୀନ କରାଯାଉ ବୋଲି ଦାବି ହେଉଛି। ଅନ୍ୟପକ୍ଷରେ ଯଦି କୌଣସି ଅନିୟମିତତା ରହିଛି, ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଧାମନଗର ଅଂଚଳରେ ବେଆଇନ ବାଲି ଉତୋଳନ ଓ ପରିବହନ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ପ୍ରଶାସନ କେବେ ସକ୍ରିୟ ହେଉଛି ଓ ଏହି କାରବାର ଉପରେ କେବେ ଅଙ୍କୁଶ ଲାଗୁଛି, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।
SOURCE: ODIA PUA







