Source :- ODIA PUA

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ବାସୁଦେବପୁରସ୍ଥିତ ବାଲାଜୀ ବାସନ୍ତୀ ବୃଦ୍ଧାଶ୍ରମରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବୃଦ୍ଧବୃଦ୍ଧାଙ୍କ ପ୍ରତି ସମ୍ମାନ, ସୁରକ୍ଷା ଓ ସହାନୁଭୂତିଶୀଳ ବ୍ୟବହାର ନିଶ୍ଚିତ କରିବା ପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କ ସଚେତନତା ଓ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଆଭା ରଞ୍ଜିତା ପୁହାଣ, ପ୍ରତିପକ୍ଷ ଓକିଲ ତଥା ନ୍ୟାୟ ରକ୍ଷକ ତାପସ କୁମାର ମହାନ୍ତି ଏବଂ ଆଶ୍ରମର ପରିଚାଳକା ବାସନ୍ତୀ ମଲ୍ଲିକ ଉପସ୍ଥିତ ରହି ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ସମ୍ପର୍କିତ ବିଭିନ୍ନ ବିଷୟରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ଯୋଜନା, ସେମାନଙ୍କର ଆଇନଗତ ଅଧିକାର ଏବଂ ସାମାଜିକ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

SOURCE: ODIA PUA