Source :- ODIA PUA
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଂଚମୀ ତଥି ଅର୍ଥାତ ଆସନ୍ତା ଶୁକ୍ରବାର ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଶିବବିବାହ ଉତ୍ସବ। ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ସମଗ୍ର ପୀଠ। ବରପିତା ଓ କନ୍ୟାପିତାଙ୍କ ସହ ସମସ୍ତଙ୍କ ଘରେ ବନ୍ଧୁପରିଜନଙ୍କ ଭିଡ ଜମିଲାଣି। ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିନୀତି ଓ ଲୋକାଚାରରେ ହେଉଥିବାରୁ ଗୁରୁ୍ୱାର ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ନୀତି ସମ୍ପନ୍ନ ହେବା ସହ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ମାନବିୟ ଲିଳା ଭାବେ ବାବାମଣିଙ୍କ ଚଳନ୍ତିପ୍ରତିମା ହର , ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ବରପିତା ଓ କନ୍ଯାପିତା ନିଜ ଘରକୁ ନେବେ। ବିବାହ ନିମନ୍ତେ ମନ୍ଦିର ସମୁଖରେ କାରିଗରୀଙ୍କ ପକ୍ଷରୁ ବେଦୀ ନିର୍ମାଣ ଚାଲିଥିବା ବେଳେ ତୋରଣ ଓ ଆଲୋକ ସଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ସେହିପରି ପିରାହାଟସ୍ଥିତ ପ୍ରଦେଶ ସେବା ସଂଘଠନ ପକ୍ଷରୁ ମାଙ୍ଗଳିକ ଚିତ୍ର ମନ୍ଦିର ପ୍ରାଚେରୀରେ ଅଙ୍କନ କରାଯାଇଛି । ଚଳିତବର୍ଷ ବିବାହ ଉତ୍ସବରେ ବିହାରର ଅଘୋରୀ ନୃତ୍ୟ ସହ ଢେଙ୍କାନାଳର ଦୁଲୁଦୁଲି, ଖୋର୍ଦ୍ଦାର ପାଇକ ଆଖଡ଼ା, ବ୍ରହ୍ମପୁରର ଯୋଡ଼ିଶଙ୍ଖ, ଶ୍ରୀକ୍ଷେତ୍ର ପୁରୀର ସାହିମେଢ ଓ ବନାଟି, ଘଂଟବାଦ୍ୟ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସଙ୍କିର୍ତିନମଣ୍ଡଳୀ ଓ ନୃତ୍ୟ କଳାକାର ଯୋଗ ଦେବେ। ସେହିପରି ବରଯାତ୍ରୀ ରୂପେ ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର, ଯମ ଆଦି ଦ୍ୱେଗଣଙ୍କ ସହ ଲକ୍ଷାଧିକ ଭକ୍ତ ଯୋଗ ଦେବେ। ଏଥିପାଇଁ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପ୍ରଯ୍ୟାୟରେ ପହଂଚିଛି। ବୁଧବାର ଭଦ୍ରକ ଏସପି ମନୋଜ ରାଉତ ପୀଠରେ ସୁରକ୍ଷା ବ୍ୟବସ୍ଥା କିପରି କରାଯିବ ତାର ସମିକ୍ଷା କରିବା ସହ ଟ୍ରାଫିକ ବ୍ୟବସ୍ଥାର କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ଚଳିତବର୍ଷ ବରପିତା ଭାବେ ଗଦାଧର ପାଢ଼ୀଙ୍କ ଜଜମାନ ଅସିତ ସାହୁ ସୈଭାଗ୍ୟ ପ୍ରାପ୍ତ ଲାଭ କରିଥିବା ବେଳେ କନ୍ୟାପିତା ଭାବେ ବିଚିତ୍ର ପାଢ଼ୀଙ୍କ ଯଜମାନ ମାନସ ରଞ୍ଜନ ସାହୁ ସୈଭାଗ୍ୟ ଲାଭ କରିଛନ୍ତି। ଅନ୍ୟପଟେ ବିବାହ ମଣ୍ଡପରେ ସାଜସଜ୍ଜା ଚାଲିବା ସହିତ ବରପିତା ଓ କନ୍ୟାପିତାଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଉଭୟଙ୍କ ପକ୍ଷରୁ ମଙ୍ଗୁଳାଗୁଆ ଓ ନିମନ୍ତ୍ରଣ ପତ୍ର ବଂଟାଯାଉଛି।
SOURCE: ODIA PUA







