Home national news oriya ବୋଡ଼କ ପଂଚାୟତରେ କୁମ୍ଭୀର ଆତଙ୍କ, ରେବ ନଦୀରୁ ବାହାରି ରାସ୍ତାରେ କୁକୁରକୁ ଟାଣିନେଲା ବିଶାଳ କୁମ୍ଭୀର,...

ବୋଡ଼କ ପଂଚାୟତରେ କୁମ୍ଭୀର ଆତଙ୍କ, ରେବ ନଦୀରୁ ବାହାରି ରାସ୍ତାରେ କୁକୁରକୁ ଟାଣିନେଲା ବିଶାଳ କୁମ୍ଭୀର, ବନ୍ୟା ମଧ୍ୟରେ ଲୋକଙ୍କୁ ସତର୍କତା ପରାମର୍ଶ

4
0

Source :- ODIA PUA

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବୋଡ଼କ ପଂଚାୟତ ଅଂଚଳରେ ବନ୍ୟା ପରିସ୍ଥିତି ମଧ୍ୟରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ରେବ ନଦୀରେ ଏକ ବିଶାଳ କୁମ୍ଭୀର ବୁଲୁଥିବା ଦେଖିବା ପରେ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ସହିତ ନଦୀରୁ ଆସିଥିବା କୁମ୍ଭୀର ରାସ୍ତା ଉପରେ ବୁଲୁଥିବା ଏକ କୁକୁରକୁ ଟାଣି ନେଇଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଛି। ସୂଚନା ଅନୁଯାୟୀ, ବୋଡ଼କ ପଂଚାୟତ ଅଂଚଳ ଦେଇ ପ୍ରବାହିତ ରେବ ନଦୀରେ ବନ୍ୟାଜଳ ବଢ଼ିବା ସହ ନଦୀର ଜଳ ହଟନଗର ରାସ୍ତା ଉପରେ ପ୍ରବାହିତ ହେଉଛି। ବନ୍ୟାଜଳ ରାସ୍ତା ଉପରେ ଚାଲୁଥିବା ସମୟରେ ନଦୀ ପଟୁ ଏକ ବିଶାଳ କୁମ୍ଭୀର ରାସ୍ତା ଆଡ଼କୁ ଆସିଥିବା ଦେଖିବାକୁ ମିଳିଛି। ରାସ୍ତାରେ ବୁଲୁଥିବା ଏକ କୁକୁରକୁ କୁମ୍ଭୀରଟି ଟାଣି ନେଇଥିବା ଦୃଶ୍ୟ ମଧ୍ୟ ଲୋକଙ୍କ ନଜରକୁ ଆସିଛି। ଘଟଣା ପରେ ଅଂଚଳରେ କୁମ୍ଭୀରକୁ ନେଇ ଆତଙ୍କ ବଢ଼ିଛି। ବିଶେଷକରି ବନ୍ୟା ସମୟରେ ରାସ୍ତା ଓ ନଦୀ ମଧ୍ୟରେ ତଫାତ୍ ବୁଝିବା କଷ୍ଟକର ହୋଇଥିବାରୁ ଲୋକମାନେ ଅଧିକ ବିପଦରେ ପଡ଼ିପାରନ୍ତି। ରେବ ନଦୀରେ କୁମ୍ଭୀରଟି ଉପରମୁଣ୍ଡ ଆଡ଼କୁ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଥିବାରୁ ନଦୀକୂଳବର୍ତୀ ଅଂଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିରେ ନଦୀ, ନାଳ ଓ ଜଳଭର୍ତି ଅଂଚଳରେ ଜଳସ୍ରୋତର ଗତି ଓ ଗଭୀରତା ଆକଳନ କରିବା କଷ୍ଟକର ହୋଇଥାଏ। ତେଣୁ ଏଭଳି ସମୟରେ ଅତ୍ୟାବଶ୍ୟକ ନଥିଲେ ଜଳମଗ୍ନ ରାସ୍ତାରେ ଯାତାୟାତ ନକରିବାକୁ ଅଂଚଳବାସୀଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷକରି ନଦୀକୂଳ, ବନ୍ୟାଜଳ ପ୍ରବାହିତ ରାସ୍ତା ଓ ଜଳଭର୍ତି ଅଂଚଳକୁ ଛୋଟ ପିଲାମାନଙ୍କୁ ନେଇ ନଯିବା ପାଇଁ ମଧ୍ୟ ସତର୍କ କରାଯାଇଛି। କୁମ୍ଭୀରର ଗତିବିଧି ଉପରେ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବାକୁ ଅଂଚଳବାସୀ ଦାବି କରିଛନ୍ତି। ରେବ ନଦୀରେ ବନ୍ୟାଜଳ ରହିଥିବା ପର୍ଯ୍ୟନ୍ତ କୁମ୍ଭୀରଟି ଅନ୍ୟ ଅଂଚଳକୁ ଚାଲିଯିବାର ସମ୍ଭାବନା ଥିବାରୁ ନଦୀକୂଳବର୍ତୀ ଲୋକଙ୍କୁ ସତର୍କ ରହିବା ଜରୁରୀ ହୋଇପଡ଼ିଛି। ଏପରି ସ୍ଥିତିରେ ବନ୍ୟାଜଳ ହଟିବା ପର୍ଯ୍ୟନ୍ତ ହଟନଗର ରାସ୍ତା ସମେତ ନଦୀ ନିକଟବର୍ତୀ ଅଂଚଳରେ ଯାତାୟାତ କରୁଥିବା ଲୋକେ ବିଶେଷ ସତର୍କତା ଅବଲମ୍ବନ କରିବା ସହ ଅଜଣା ଜଳାଶୟ କିମ୍ବା ଜଳମଗ୍ନ ସ୍ଥାନକୁ ଯିବାରୁ ନିବୃତ ରହିବା ଆବଶ୍ୟକ।

SOURCE: ODIA PUA