Home national news oriya ‘ବନ୍ୟା ଟୁରିଜିମ ନୁହେଁ, ଲୋକଙ୍କ ସମସ୍ୟା ବୁଝନ୍ତୁ’: ଅରୁଣ ସାହୁ , ଭଦ୍ରକର ବନ୍ୟା ପ୍ରଭାବିତ...

‘ବନ୍ୟା ଟୁରିଜିମ ନୁହେଁ, ଲୋକଙ୍କ ସମସ୍ୟା ବୁଝନ୍ତୁ’: ଅରୁଣ ସାହୁ , ଭଦ୍ରକର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ସରକାରଙ୍କୁ କଟାକ୍ଷ, ଚାଷୀଙ୍କ କ୍ଷତିପୂରଣ ଓ ଋଣ ଛାଡ଼ ଦାବି

5
0

Source :- ODIA PUA

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ବିଜେଡି ନେତା ଅରୁଣ ସାହୁ। ବନ୍ୟା ଯୋଗୁଁ ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ସମେତ ସାଧାରଣ ଲୋକେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସେ କହିଛନ୍ତି। ବନ୍ୟାଂଚଳ ପରିଦର୍ଶନ ପରେ ଭଦ୍ରକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍ ବିଜ୍ଞପ୍ତିରେ ସେ ସରକାରଙ୍କ ବନ୍ୟା ପରିଚାଳନାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇବା ସହ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି। ଅରୁଣ ସାହୁ କହିଛନ୍ତି ଯେ, ଭଦ୍ରକରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ବନ୍ୟା ଜଳରେ ବହୁ ଚାଷଜମି ବୁଡ଼ି ରହିଥିବାରୁ ଚାଷୀଙ୍କ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ଧାନ ସମେତ ବିଭିନ୍ନ ପନିପରିବା ଚାଷ ଉଜୁଡ଼ିଯାଇଛି। ଫସଲ ନଷ୍ଟ ହେବାରୁ ଚାଷୀଙ୍କ ଆୟର ପନ୍ଥା ବନ୍ଦ ହୋଇଯାଇଥିବା ବେଳେ ଅନେକ ପରିବାର ଜୀବିକା ସଙ୍କଟରେ ପଡ଼ିଛନ୍ତି। ବନ୍ୟା ପରେ ଘର, ଚାଷ ଓ ଜୀବିକାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ଦେଖାଦେଇଛି। ଏଭଳି ସଙ୍କଟ ସମୟରେ ସରକାରଙ୍କୁ ଲୋକଙ୍କ ପ୍ରକୃତ ସମସ୍ୟା ବୁଝିବା ଆବଶ୍ୟକ ବୋଲି ଅରୁଣ ସାହୁ କହିଛନ୍ତି। ସେ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ‘ବନ୍ୟା ଟୁରିଜିମ ନୁହେଁ, ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟା ବୁଝନ୍ତୁ।’ ବନ୍ୟାଂଚଳକୁ କେବଳ ପରିଦର୍ଶନ କରିବା ପରିବର୍ତେ ସେଠାକାର ଲୋକଙ୍କ ଦୁର୍ଦ୍ଦଶା, ଚାଷୀଙ୍କ କ୍ଷୟକ୍ଷତି ଓ ଜୀବିକା ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ସେ ମତ ଦେଇଛନ୍ତି। ବନ୍ୟାରେ ଚାଷ ନଷ୍ଟ ହୋଇଥିବାରୁ ଚାଷୀମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇପଡ଼ିବାର ଆଶଙ୍କା ରହିଛି। ତେଣୁ ବନ୍ୟା ପ୍ରଭାବିତ ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହ କ୍ଷତିର ଯଥାର୍ଥ ଆକଳନ କରି ଶୀଘ୍ର କ୍ଷତିପୂରଣ ଦେବାକୁ ଅରୁଣ ସାହୁ ଦାବି କରିଛନ୍ତି। କେବଳ କାଗଜପତ୍ରରେ କ୍ଷୟକ୍ଷତି ଆକଳନ ନକରି ଅଧିକାରୀମାନେ ଗ୍ରାମାଂଚଳକୁ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ବନ୍ୟା ଯୋଗୁଁ କେବଳ ଚାଷୀ ନୁହନ୍ତି, କୃଷି ଉପରେ ନିର୍ଭରଶୀଳ ହଜାର ହଜାର ପରିବାର ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚାଷ ନଷ୍ଟ ହୋଇଥିବାରୁ ଅନେକଙ୍କ ପାଖରେ ଏବେ ତୁରନ୍ତ ଜୀବିକାର ବିକଳ୍ପ ନାହିଁ। ଏପରି ସ୍ଥିତିରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ରିଲିଫ୍‌, ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ପୁନର୍ବାସ ଓ ଜୀବିକା ପୁନରୁଦ୍ଧାର ଦିଗରେ ଦୀର୍ଘମିଆଦି ପଦକ୍ଷେପ ନେବା ଦରକାର ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ବନ୍ୟା ପରେ ବଜାରରେ ପନିପରିବା ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ବନ୍ୟାରେ ପନିପରିବା ଚାଷ ନଷ୍ଟ ହୋଇଥିବାରୁ ଆଗାମୀ ଦିନରେ ଦରଦାମ ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ବଜାର ଦର ଉପରେ ନଜର ରଖି କୃତ୍ରିମ ମୂଲ୍ୟବୃଦ୍ଧି ଓ ମୁନାଫାଖୋରି ରୋକିବା ପାଇଁ ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି ଅରୁଣ ସାହୁ କହିଛନ୍ତି। ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ବନ୍ୟାଜଳ ହ୍ରାସ ପରେ ରୋଗର ଆଶଙ୍କା ବଢ଼ିପାରେ। ଏଥିପାଇଁ ପ୍ରଭାବିତ ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର, ଔଷଧ ଯୋଗାଣ, ବିଶୁଦ୍ଧ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ଦାବି ଉଠିଛି। ଅରୁଣ ସାହୁ ଆହୁରି କହିଛନ୍ତି ଯେ, ବନ୍ୟାରେ ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶା ଦୂର କରିବା କେବଳ ତତ୍କାଳୀନ ରିଲିଫ୍ ଦେଇ ସମ୍ଭବ ନୁହେଁ। ଚାଷୀଙ୍କ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ, କୃଷି ଋଣରେ ରିହାତି କିମ୍ବା ଋଣ ଛାଡ଼, ନୂଆ ଚାଷ ପାଇଁ ଆବଶ୍ୟକ ସହାୟତା ଏବଂ ଜୀବିକା ପୁନର୍ଗଠନ ପାଇଁ ସରକାରଙ୍କୁ ଏକ ସମନ୍ୱିତ ପ୍ୟାକେଜ୍ ଘୋଷଣା କରିବା ଦରକାର। ଭଦ୍ରକର ବନ୍ୟା ପ୍ରଭାବିତ ଲୋକଙ୍କ ସମସ୍ୟାକୁ ନେଇ ରାଜନୈତିକ ବୟାନବାଜି ଅପେକ୍ଷା ପ୍ରଶାସନ ଓ ସରକାର ତୁରନ୍ତ ମାଟିରେ କାମ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ବନ୍ୟା ପରେ ଲୋକଙ୍କ ଜୀବନକୁ ସ୍ୱାଭାବିକ କରିବା, ଚାଷୀଙ୍କୁ ଆର୍ôଥକ ଭାବେ ଠିଆ କରାଇବା ଓ ପ୍ରଭାବିତ ପରିବାରଙ୍କୁ ଆବଶ୍ୟକ ସହାୟତା ପହଂଚାଇବା ହିଁ ଏବେ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି ଅରୁଣ ସାହୁ ଦାବି କରିଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରୁ ଫେରି ଭଦ୍ରକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ ଏହି ଦାବି ଓ ମତାମତ ରଖିଥିଲେ। ଏହି ଅବସରରେ ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ସରକାର ଅଧିକ ସମ୍ବେଦନଶୀଳ ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ବିଜୁ ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ସମେତ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଡ଼ା. ସଞ୍ଜୟ କୁମାର ଦାସ,ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶାଳ, ଧାମନଗର ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ବ୍ଲକର ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA