Home national news oriya ଧାମନଗରରେ ବନ୍ୟା ଦେଲା ବଡ଼ ଯନ୍ତ୍ରଣା, ଭାସିଗଲା ଚାଷୀଙ୍କ ସ୍ୱପ୍ନ, ଦୁଃଖକଷ୍ଟରେ ବିତୁଛି ଜୀବନ, ରାସ୍ତାଘାଟ...

ଧାମନଗରରେ ବନ୍ୟା ଦେଲା ବଡ଼ ଯନ୍ତ୍ରଣା, ଭାସିଗଲା ଚାଷୀଙ୍କ ସ୍ୱପ୍ନ, ଦୁଃଖକଷ୍ଟରେ ବିତୁଛି ଜୀବନ, ରାସ୍ତାଘାଟ ଏବେ ବିପର୍ଯ୍ୟସ୍ତ

4
0

Source :- ODIA PUA

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ରେ ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷତି ଘଟିଛି ଏବେବି ତଳିଆ ଅଂଚଳ ରେ ଚାଷ ଜମିରେ ବନ୍ୟାପାଣି କମିନି। ତେବେ ବନ୍ୟାପାଣି ହଟିବା ପରେ ଧାମନଗର ଅଂଚଳରେ ସାମ୍ନାକୁ ଆସିଛି ଚାଷୀଙ୍କ କ୍ଷୟକ୍ଷତିର ଚିତ୍ର। ଯେଉଁ ବିଲରେ ଧାନର ସବୁଜିମା ଦେଖି ଚାଷୀ ଭଲ ଅମଳର ଆଶା ରଖିଥିଲା, ଏବେ ସେହି ବିଲରେ ଦିଶୁଛି ବନ୍ୟାର କ୍ଷତଚିହ୍ନ। ଲଗାତାର ବନ୍ୟାରେ ଧାନ ଠାରୁ ପନିପରିବା, ରାସ୍ତାଘାଟ ଠାରୁ ଘରଦ୍ୱାର ପର୍ଯ୍ୟନ୍ତ ବ୍ୟାପକ କ୍ଷତି ହୋଇଛି। ଚାଷ ସମୟ ଗଡ଼ିଯାଇଥିବାରୁ ପୁନଃଚାଷ କୁ ନେଇ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଛି।ଧାମନଗର ବ୍ଲକର ୨୮ ପଂଚାୟତ ଓ ୨ଟି ଏନ୍‌ଏସିକୁ ମିଶାଇ ପ୍ରାୟ ୧୪ ହଜାର ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୯୯୦୫ ହେକ୍ଟର ଜମିରେ ଧାନଚାଷ ହୋଇଥିଲା। ଧାମନଗର କୃଷି ବିଭାଗର ଆକଳନ ଅନୁଯାୟୀ ଲଗାତାର ବନ୍ୟାରେ ୬୩୫୯ ହେକ୍ଟର ଜମିର ଧାନଚାଷ ନଷ୍ଟ ହୋଇଛି।ବନ୍ୟାପାଣି ଯୋଗୁଁ ଧାନ ଗଛ ନଷ୍ଟ ହେବା ସହ ବହୁ ସ୍ଥାନରେ ଧାନତଳି ମଧ୍ୟ ନଷ୍ଟ ହୋଇଛି। ଫଳରେ ଚାଷୀଙ୍କ ଚଳିତ ଖରିଫ ଚାଷ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପୁନଃଚାଷ ପାଇଁ ସରକାରୀ ସହାୟତା ମିଳିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।ଧାମନଗର କୃଷି ବିଭାଗ ପକ୍ଷରୁ ଧାନ ସମେତ ବିରି, ମୁଗ ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲର ବିହନ ସବ୍‌?ସିଡିରେ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ଫସଲରେ ରୋଗପୋକ ନିୟନ୍ତ୍ରଣ ପାଇଁ ଆବଶ୍ୟକ କୃଷି ଇନ୍‌ପୁଟ୍ ମଧ୍ୟ ୭୫ପ୍ରତିଶତ ସବ୍‌ସିଡିରେ ଯୋଗାଇବାକୁ ବ୍ୟବସ୍ଥା ରହିଛି ବୋଲି ଧାମନଗର ଗୋଷ୍ଠୀ କୃଷି ଅଧିକାରିଣୀ ଅନୁରାଧା ପଣ୍ଡା ସୂଚନା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଧାମନଗର ଅଂଚଳର ଆକଳନ ଅନୁଯାୟୀ ୧୦୫ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥିବାବେଳେ ୯୫ ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ମିନିକିଟ୍ ମାଧ୍ୟମରେ ବିଭିନ୍ନ ପ୍ରକାର ମଞ୍ଜି ଯୋଗାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।ବନ୍ୟାର ପ୍ରଭାବ କେବଳ ଚାଷଜମିରେ ସୀମିତ ରହିନାହିଁ। ଧାମନଗର ଛକ-ଷେଣ୍ଢପୁର, ଧାମନଗର-ଫଳପୁର, ଖଡ଼ିପଦା-ଆନନ୍ଦପୁର, ଧାମନଗର-କୋଠାର, ଭଦ୍ରକ-ଆଖଣ୍ଡଳମଣି, ବାରିକପୁର-ସହିଦନଗର-ତିହିଡ଼ି, ଧୁଷୁରୀ-ବମକୁରା-ତିହିଡ଼ି ଓ ଅନ୍ୟାନ୍ୟ ଗ୍ରାମ୍ୟ ରାସ୍ତା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ପିଚ୍ ଓ କଂକ୍ରିଟ୍ ଉଠିଯାଇଥିବାବେଳେ ରାସ୍ତାରେ ଘାଇ ସୃଷ୍ଟି ହୋଇଛି। ତୁରନ୍ତ ମରାମତି କରି କେତେକ ସ୍ଥାନରେ ଯାତାୟାତ ସ୍ୱାଭାବିକ କରାଯାଇଥିଲେ ମଧ୍ୟ ସ୍ଥାୟୀ ମରାମତି ଆବଶ୍ୟକ ହୋଇପଡ଼ିଛି। ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ସୂଚନା ଅନୁଯାୟୀ ପ୍ରାୟ ୧୬୦୦ଟି କଚ୍ଚାଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାୟ ୯୦୦ଟି ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଫଳରେ ବନ୍ୟା ପରେ ଅନେକ ପରିବାରଙ୍କ ଆଗରେ ବାସଗୃହ ସହ ଗୃହପାଳିତ ପଶୁଙ୍କ ରହିବା ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖାଦେଇଛି।ବିଶେଷକରି ଚାଷୀଙ୍କ ପାଇଁ ବନ୍ୟାର କ୍ଷତ ଅଧିକ ଗଭୀର। ଫସଲ ନଷ୍ଟ ସହ ଚାଷର ସମୟ ଗଡ଼ିଯାଇଥିବାରୁ ଆଗାମୀ ଦିନରେ ଆୟ ଓ ଜୀବିକାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ତେଣୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି ପୁନଃଚାଷ ପାଇଁ ବିହନ, କୃଷି ଇନ୍‌ପୁଟ୍ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

SOURCE: ODIA PUA