Source :- ODIA PUA

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ସ୍ଥାନୀୟ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାବଲମ୍ବୀ ଯୁବ ଅଭିଯାନ କାର୍ଯ୍ୟକ୍ରମ ହେବାକୁ ଯାଉଅଛି। ରବିବାର ସକାଳ ୮ଟାରୁ ସୋହଡ଼ା ଗ୍ରାମପଂଚାୟତର ପିତେଇପୁର ସରକାରୀ ଏମ୍‌.ଇ. ସ୍କୁଲ ପରିସରରେ ସ୍ୱାବଲମ୍ବୀ ଯୁବ ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି। ଭଦ୍ରକ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବିଶେଷ ଅଭିଯାନ ସ୍ଥାନୀୟ ଅଂଚଳର ବେକାର ଯୁବକଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହି ଅଭିଯାନର ବ୍ୟାପକତାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗ ଲୋଡ଼ିଛନ୍ତି। ଅନ୍ୟପଟେ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଯୁବପିଢ଼ିଙ୍କ ସମାଗମକୁ ଆଖିରେ ରଖି ଆଇନଶୃଙ୍ଖଳା ଓ ଶାନ୍ତିପୂର୍ଣ୍ଣ ପରିଚାଳନା କିପରି କରାଯିବ ସେନେଇ ଆଜି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପିତେଇପୁର ସ୍କୁଲରେ ପହଂଚି ଅନୁଧ୍ୟାନ କରିଛନ୍ତି। ଏହି ସ୍ୱାବଲମ୍ବୀ ଯୁବ ଅଭିଯାନ କେବଳ ଏକ ସାଧାରଣ ସଚେତନତା ଶିବିର ନୁହେଁ, ବରଂ ଏହା ଯୁବପିଢ଼ିଙ୍କ ବ୍ୟାବସାୟିକ ଦକ୍ଷତା ବୃଦ୍ଧି ଓ ସେମାନଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତିର ମାର୍ଗ ସହ ଯୋଡ଼ିବାର ଏକ ସେତୁ। ଆଜିକାଲିର ପ୍ରତିଯୋଗିତାମୂଳକ ବଜାରରେ କେବଳ ପାଠ୍ୟପୁସ୍ତକଗତ ଶିକ୍ଷା ଯଥେଷ୍ଟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଯୁବପିଢ଼ିଙ୍କୁ ବଜାରର ଚାହିଦା ମୁତାବକ ବିଭିନ୍ନ ବୈଷୟିକ ଓ ବ୍ୟବହାରିକ ଦକ୍ଷତା ବିକାଶ ଏବଂ ଜବ୍‌-ରେଡିନେସ୍ ପ୍ରୋଗ୍ରାମ ସମ୍ପର୍କରେ ସଚେତନ କରାଯିବ। ଶିକ୍ଷା ସମାପ୍ତ ପରେ କେଉଁ ଦିଗରେ ଗଲେ ସଫଳତା ମିଳିବ, ସେ ନେଇ ଅନେକ ସମୟରେ ଯୁବପିଢ଼ି ଦ୍ୱନ୍ଦ୍ୱରେ ରୁହନ୍ତି। ଏହି ଅଭିଯାନ ମାଧ୍ୟମରେ ଇଚ୍ଛୁକ ଚାକିରି ଆଶାୟୀଙ୍କୁ ଚିହ୍ନଟ କରାଯାଇ ବିଶେଷଜ୍ଞଙ୍କ ଦ୍ୱାରା ମାଗଣା କ୍ୟାରିୟର କାଉନସେଲିଂ ଓ ଉପଯୁକ୍ତ ପଥ ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମ ସ୍ଥଳରେ ଏକ ଶୃଙ୍ଖଳିତ ପଞ୍ଜୀକରଣ ପ୍ରକ୍ରିୟା ଜରିଆରେ ଯୁବକଯୁବତୀଙ୍କ ତଥ୍ୟ ସଂଗ୍ରହ କରାଯିବ ଏବଂ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ପ୍ରାସଙ୍ଗିକ ଦକ୍ଷତା ତାଲିମ ତଥା ପ୍ରତିଷ୍ଠିତ ସଂସ୍ଥାରେ ପ୍ଲେସମେଂଟ ସୁଯୋଗ ସହିତ ସିଧାସଳଖ ଯୋଡ଼ାଯିବ। ଧାମନଗର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ଯୋଗ୍ୟ ତଥା ଚାକିରି ଆଶାୟୀ ଯୁବକଯୁବତୀ ଏହି ସୁଯୋଗର ସଦୁପଯୋଗ କରିବାକୁ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି।

SOURCE: ODIA PUA