Source :- ODIA PUA
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବରପଦା ଇଂଜିନିୟରିଂ କଲେଜର ଅଚଳାବସ୍ଥା ଦୂର ହୋଇଯାଇଛି । ଆଜି ଠାରୁ ସ୍ୱାଭାବିକ ଭାବେ କଲେଜରେ ପାଠପଢା ଆରମ୍ଭ ହୋଇଛି । କଲେଜ ର ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇଛନ୍ତି । କଲେଜ ଖୋଲିବା ପରେ ଏହି ବୈଷୟିକ ଶିକ୍ଷାନଷ୍ଠାନଟିର କର୍ମଚାରୀମାନେ ଜିଲ୍ଲାପାଳ ଦୀଲିପ ରାଉତରାଏ ଓ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତିଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଛନ୍ତି । ସେହିଭଳି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ରଙ୍କୁ ମଧ୍ୟ କର୍ମଚାରୀ ଓ ମ୍ୟାନେଜମେଟଂ ତରଫରୁ କୃତଜ୍ଞତା ଅର୍ପଣ କରାଯାଇଛି । ପ୍ରକାଶ ଥାଉକି, ଗତ ୭ମାସ ହେବ ବରପଦା ଇଂଜିନିୟରିଂ କଲେଜରେ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା । କଲେଜ କର୍ମଚାରୀମାନଙ୍କ ଆନ୍ଦୋଳନକୁ ନେଇ କଲେଜ ର ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ଅଚଳାବସ୍ଥା ଦେଖାଦେଇଥିଲା । ଫଳରେ ୩ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଝୁଲୁଥିଲା । ଏନେଇ ଛାତ୍ରଛାତ୍ରୀମାନଙ୍କ ତରଫରୁ ଆନ୍ଦୋଳନ ଓ ଧାରଣା କିଛି ଦିନ ଧରି ଲାଗି ରହିଥିଲା । ପରେ ଛାତ୍ରଛାତ୍ରୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କଲେଜର କର୍ମଚାରୀଙ୍କୁ ଡକାଇ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ପାଠପଢାକୁ ସ୍ୱାଭାବିକ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଲୋଚନା ପରେ କର୍ମଚାରୀମାନଙ୍କୁ ସେମାନଙ୍କର ୨ମାସର ବକେୟା ଦରମା ମ୍ୟାନେଜମେଟଂ ତରଫରୁ ପ୍ରଦାନ କରାଯାଇଥିଲା। ଏବେ ଅନୁଷ୍ଠାନର ଡିପ୍ଲୋମା ପ୍ରିନ୍ସିପାଲ ଗଙ୍ଗାଧର ଧଳଙ୍କୁ କଲେଜ ର ଅଧ୍ୟକ୍ଷଭାବେ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଏସଇଟି ସୋସାଇଟି ପୂର୍ବଭଳି ଏହାର ପରିଚାଳନା ଦାୟିତ୍ୱ ବହନ କରିବ । ଜିଲ୍ଲା ପ୍ରଶାସନକୁ ଭେଟିବାକୁ ନାସିର ଅଲ୍ଲି, ପ୍ରଦୀପ ବେହେରା, ସନ୍ଦିପ ଦେ, ନିକୁଂଜ ଦୀକ୍ଷିତ, ଅବିନାଷ ରାଉତ, ବାପୁନି ମହାନ୍ତି, ସୁଦାମ ନାୟକ, ମଙ୍ଗରାଜ ପ୍ରଧାନ, ଦିଲିପ ଜେନା ପ୍ରମୁଖ ବରପଦା ଇଂଜିନିୟରିଂ କଲେଜର ବହୁ କର୍ମଚାରୀ ଆସିଥିଲେ ।
SOURCE: ODIA PUA