Home national news oriya ଭଦ୍ରକର ସ୍ୱାମୀ-ସ୍ତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ, ଲକ୍ଷ୍ନୌରୁ ଭଦ୍ରକରେ ପହଂଚିଲେ ମୃତ ମହିଳାଙ୍କ ପରିବାର;...

ଭଦ୍ରକର ସ୍ୱାମୀ-ସ୍ତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ, ଲକ୍ଷ୍ନୌରୁ ଭଦ୍ରକରେ ପହଂଚିଲେ ମୃତ ମହିଳାଙ୍କ ପରିବାର; ଭଉଣୀକୁ ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ, ଯୌତୁକ ଦାବି ସହ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ; ପୁଲିସର ତଦନ୍ତ ଜାରି, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା

5
0

Source :- ODIA PUA

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଙ୍ଗାମହଲ୍ଲାରେ ଏକ ଘରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଂଚଲ୍ୟ ଲାଗି ରହିଛି। ଘଟଣାରେ ମୃତ ମହିଳା ତୈଇବା ରଜା ଖାନଙ୍କ ପରିବାର ଲୋକେ ଲକ୍ଷ୍ନୌରୁ ଭଦ୍ରକରେ ପହଂଚି ଘଟଣାସ୍ଥଳରେ ପହଂଚିଛନ୍ତି। ମୃତ ମହିଳାଙ୍କ ବଡ଼ ଭାଇ ତହିଦ ଅହମଦ ଖାନ ତାଙ୍କ ଭଉଣୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତହିଦଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ତାଙ୍କ ଭଉଣୀଙ୍କୁ ଶ୍ୱଶୁର ଘର ପକ୍ଷରୁ ଯୌତୁକ ଟଙ୍କା ଦାବି କରାଯିବା ସହ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଆଯାଉଥିଲା। ଏହି କାରଣରୁ ତାଙ୍କ ଭଉଣୀଙ୍କ ମୃତ୍ୟୁକୁ ସେ ସନ୍ଦେହଜନକ ବୋଲି କହିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଏହା ପରିବାର ପକ୍ଷରୁ ଆଣାଯାଇଥିବା ଅଭିଯୋଗ ହୋଇଥିବାରୁ ଏହାର ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ମୃତ ମହିଳାଙ୍କ ପରିବାର ପକ୍ଷରୁ ଆସିଥିବା ଅଭିଯୋଗକୁ ମୃତ ସେକ୍ ମୁସ୍ତାଫ ରାଜାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି। ମୃତ ମୁସ୍ତାଫଙ୍କ ବାପା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୦ ମସିହା ବିବାହଠାରୁ ଆଜି ପର୍ଯ୍ୟନ୍ତ ବୋହୂଙ୍କ ଘର ପରିବାର ସହ ତାଙ୍କର କୌଣସି କଥାବାର୍ତା ହୋଇନାହିଁ। ଏପରିକି ଶାଶୁ, ଶ୍ୱଶୁର ବୋ ବୋହୂଙ୍କ ଠାରୁ ପାଣି କିମ୍ବା ଚା’ କପଟିଏ ପିଇନାହାଁନ୍ତି। ତେଣୁ ବର୍ତମାନ ତାଙ୍କ ପରିବାର ବିରୋଧରେ ଲଗାଯାଉଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁରୁଣାବଜାର ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁଲିସର ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଘର ଭିତରେ ଯାଂଚ କରି ସ୍ୱାମୀ ମୁସ୍ତାଫ ପତ୍ନୀଙ୍କୁ ହତ୍ୟା କରିଥିବା ଲୁହାରଡ୍ ଓ ତାହାର ସୁଇସାଇଡ୍ ନୋଟ୍ ସହ ବିଭିନ୍ନ ଦିଗରୁ ପ୍ରମାଣ ସଂଗ୍ରହ କରିଥିବା ସୂଚନା ମିଳିଛି। ଏହାପରେ ମୃତଦେହକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏନେଇ ଡିଆଇବି ଆଡିସନାଲ ଏସ୍‌ପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି ଯେ, ପୁଲିସ ପକ୍ଷରୁ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପରୀକ୍ଷା କରିଛି। ମୃତଦେହକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ। ସ୍ୱାମୀ-ସ୍ତ୍ରୀଙ୍କ ଏହି ଦୁଇ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ମୃତ୍ୟୁର ପ୍ରକୃତ କାରଣ କ’ଣ, ଘଟଣା ପଛରେ କୌଣସି ଅପରାଧିକ ଦିଗ ରହିଛି କି ନାହିଁ, ଏବଂ ମୃତ ମହିଳାଙ୍କ ପରିବାର ପକ୍ଷରୁ ଆଣାଯାଇଥିବା ଯୌତୁକ ଓ ନିର୍ଯାତନା ଅଭିଯୋଗରେ କେତେ ସତ୍ୟତା ରହିଛି ଏସବୁ ଦିଗ ଉପରେ ପୁଲିସ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତର ଅଗ୍ରଗତି ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ। ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଅଭିଯୋଗ-ପ୍ରତିଅଭିଯୋଗ ଲାଗିଥିବା ବେଳେ ପୁଲିସର ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମୃତା ମହିଳାଙ୍କର ଦୁଇ ଗୋଟି ଶିଶୁ ଥିବାରୁ ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଏକ ଦୁଖଦଃ ପରିସ୍ଥିତି ସୃଷ୍ଟି କରିଛି।

SOURCE: ODIA PUA