Home national news oriya ମା’ ଦୁର୍ଗାଙ୍କ ଆବାହନୀରେ ପ୍ରକମ୍ପିତ ଭଦ୍ରକ ସହର, ଏଥର ୨୭ଟି ମେଢ

ମା’ ଦୁର୍ଗାଙ୍କ ଆବାହନୀରେ ପ୍ରକମ୍ପିତ ଭଦ୍ରକ ସହର, ଏଥର ୨୭ଟି ମେଢ

5
0

Source :- ODIA PUA

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ଶକ୍ତିପୀଠ ଭଦ୍ରକ ଜିଲାର ବିଭିନ୍ନ ଅଂଚଳରେ ପୂଜା ମଣ୍ଡପ ଓ ପୀଠମାନଙ୍କରେ ମା’ ଦୁର୍ଗାଙ୍କ ସପ୍ତମୀ ଓ ଅଷ୍ଟମୀ ପୂଜା ଆରମ୍ଭ ହୋଇଛି। ଭଦ୍ରକ ଅଂଚଳରେ ଶାରଦୀୟ ଦୁର୍ଗାପୂଜା ପାଳନ ଦୀର୍ଘବର୍ଷ ଧରି ପରମ୍ପରା କ୍ରମେ ହୋଇଆସୁଅଛି। ବିଶେଷତଃ ବଙ୍ଗୀୟମାନେ ବସବାସ କରୁଥିବା ଏହି ଜିଲାର କେତେକ ପ୍ରମୁଖ ଅଂଚଳରେ ବିଗତ ୨ ଶହ ବର୍ଷ ଧରି ବଙ୍ଗୀୟ ପରମ୍ପରା କ୍ରମେ ଏହା ପାଳିତ ହୋଇଆସୁଥିବା ବିଭିନ୍ନ ପୂଜା କମିଟିର ବହୁ ପୁରୁଣା କର୍ମକର୍ତାମାନେ କହନ୍ତି। ବର୍ଷକୁ ବର୍ଷ ରଙ୍ଗ ବଦଳୁଛି ପାର୍ବଣର। ମୂର୍ତି ମେଢ ସାଜସଜ୍ଜାରେ ବି ପରିବର୍ତନର ରଙ୍ଗ ଲାଗିଛି। ଭଦ୍ରକ ଜିଲାରେ ଶାରଦୀୟ ଦୁର୍ଗାପୂଜା ପାଳନର ପୃଷ୍ଠଭୂମିର ଯଥେଷ୍ଟ ଭୂମିକା ରହିଛି। ବଙ୍ଗୀୟମାନେ ଯେଉଁଠି ବସବାସ କରିଛନ୍ତି, ସେଠାରେ ଶକ୍ତି ସ୍ୱରୂପିଣୀ ଦୁର୍ଗାପୂଜା ଆରମ୍ଭ ହୋଇଛି। ସହରର ବାଉଦପୁର, ଜାନୁଗଞ୍ଜ, ଗାନ୍ଧିପଡିଆ, ସନ୍ଥିଆ, ସଂଗତ, ବାଙ୍କା ବଜାର, ମାଟିଆପାଳରେ କେତେକ ବଙ୍ଗୀୟ ପରିବାରର ନେତୃତ୍ୱରେ ଏହିସବୁ ପୂଜା ଆରମ୍ଭ ହୋଇଥିଲା। କାଳକ୍ରମେ ସହରର ବଙ୍କବାସୁଳୀ, ବାଇପାସ, ଚରମ୍ପା ହାଇସ୍କୁଲ ରୋଡ୍‌, ପ୍ରାଚୀନଗର, ଏରେଇଁ, ଅପର୍ତିବିନ୍ଧା, ଚନ୍ଦନବଜାର ପ୍ରଭୃତି ସାହି ବସ୍ତି ଓ ମନ୍ଦିର ମାନଙ୍କରେ ଜଗତଜନନୀ ମା’ଙ୍କ ଦୁର୍ଗାପୂଜା କରାଯାଇଛି। ତେବେ ଚଳିତବର୍ଷ ନୂଆମେଢ କେଉଁଠି ହୋଇନାହିଁ। ଭଦ୍ରକ ସହରାଂଚଳରେ ଏଥର ୩ଟି ଥାନା ଅଂଚଳରେ ୨୭ ଟି ମେଢ ଓ ସାରା ଜିଲାରେ ୧୨୯ ଟି ମେଢ ପୂଜା ପାଉଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ତରଫରୁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସହରର ପ୍ରଥମ ପୂଜା ମଣ୍ଡପ ଜାନୁଗଞ୍ଜ :-
୧୮୩୨ ମସିହାରୁ ପ୍ରଥମେ ଗୋଟିଏ ମାଟିଘରେ ମା’ ଦୁର୍ଗାଙ୍କୁ ପୂଜା କରାଯାଇଥିଲା। ପରେ ଗ୍ରାମବାସୀଙ୍କ ତରଫରୁ ୧୯୦୩ ରେ ଏହି ପୂଜା ପକ୍କାଘରକୁ ସ୍ଥାନାନ୍ତରିତ ହୋଇଥିଲା। ଏହା ସହରର ସର୍ବପ୍ରଥମ ପୂଜା ବୋଲି କୁହାଯାଉଛି। ଗ୍ରାମବାସୀଙ୍କ ଆଦାୟ ଅର୍ଥରେ ଏହି ପୂଜା ପାଳନ ହୁଏ।
ସନ୍ଥିଆ ୩୦୦ ବର୍ଷର ପୂଜା :-
ଐତିହାସିକ ଧାର୍ମୀୟ ଚେତନାର ପୀଠ ସନ୍ଥିଆରେ ୩୦୦ ବର୍ଷ ଧରି ମା’ଙ୍କ ପୂଜା ପାଳିତ ହୋଇଆସୁଛି। ଏହା ସହରର ପ୍ରଥମ ଦୁର୍ଗାପୂଜା ବୋଲି ଦାବି କରନ୍ତି ପୂଜା ଆୟୋଜକ ଆଶିଷ ଗୋସ୍ୱାମୀ। ଏବେକାର ପୂଜା ମଣ୍ଡପ ନିକଟରେ ଥିବା ଏକ ବକୁଳ ଗଛ ନିକଟରେ ବସବାସ କରୁଥିବା ବୁଢି ଯାହାଙ୍କୁ ବକୁଳ ବୁଢି ଡାକନ୍ତି, ପ୍ରଥମେ ସେ ମା’ଙ୍କ ଦୁର୍ଗାପୂଜା ଆରମ୍ଭ କରିଥିଲେ। ତାଙ୍କ ଦେହାନ୍ତ ପରେ ଏଠାରେ ବସବାସ କରୁଥିବା ବଙ୍ଗୀୟ ପରିବାର ମାନେ ଏହି ଦୁର୍ଗାପୂଜା ଆୟୋଜନ କରିଆସୁଛନ୍ତି ବୋଲି କୁହନ୍ତି ପୂଜା କମିଟିର ପ୍ରମୁଖ ବ୍ୟକ୍ତି କେଦାର ଭଟ୍ଟାଚାର୍ଯ୍ୟ।
ସଙ୍ଗତର ଦୁର୍ଗାପୂଜା :-
ପୁରୁଣାବଜାର ଥାନା ଅଂଚଳର ସଙ୍ଗତ ଠାରେ ହୋଇଆସୁଥିବା ମା’ ଦୁର୍ଗାଙ୍କ ପୂଜା ୨୦୦ ବର୍ଷରୁ ଉର୍ଦ୍ଧ୍ୱ ବୋଲି ସେଠାକାର ସ୍ଥାନୀୟ ଲୋକ କୁହନ୍ତି। ମିଶ୍ର ପରିବାର ଉଦ୍ୟମରେ ପାଳିତ ହୋଇଆସିଥିବା ପୂଜାର ବିଶ୍ୱେଷତ ହେଲା ମା’ଙ୍କର ନିରାଡମ୍ବର ପୂଜାର୍ଚ୍ଚନା। ସାଜସଜ୍ଜା ଅପେକ୍ଷା ରୀତିନୀତି ଓ ପୂଜା ଅର୍ଚ୍ଚନାକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ।
ବାଙ୍କା ଛକରେ ୨୦୦ ବର୍ଷର ପୂଜା :-
ବାଙ୍କା ବଜାରରେ ସାର୍ବଜନୀନ ପୂଜା କମିଟି ତରଫରୁ ଏହା ପାଳନ କରାଯାଉଛି। ପ୍ରଥମେ ଏହି ଅଂଚଳରେ ବସବାସ କରୁଥିବା ବଙ୍ଗୀୟ ଗୁପ୍ତ ନାମଧାରୀ ପରିବାର ଏହି ପୂଜା ଆରମ୍ଭ କରିଥିଲେ। ପରେ ବାଙ୍କାବଜାର, ଘଡେଇସାହି, ବେହେରା ସାହିର ଲୋକେ ଘର ଘର ଚାନ୍ଦା ଆଦାୟ କରି ଏହି ପରମ୍ପରାକୁ ବଜାୟ ରଖିଆସୁଛନ୍ତି।
ମା’ ବଙ୍କବାସୁଳୀ ମେଢ –
ସହରର ଆରାଧ୍ୟା ଦେବୀ ମା’ ବଙ୍କବାସୁଳୀଙ୍କ ପୀଠରେ ୬୯ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇଆସୁଛି। ବଙ୍କସାହି ଅଂଚଳର ନନ୍ଦ ମହାନ୍ତିଙ୍କ ବ୍ୟକ୍ତିଗତ ଉଦ୍ୟମରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ବଙ୍କବାସୁଳୀ ପୂଜା କମିଟି ତରଫରୁ ପାରମ୍ପରିକ ରୀତିରେ ଓ ଆଡମ୍ବର ସହକାରେ ପୂଜା ପାଳିତ ହୋଇଆସୁଛି ବୋଲି ପୂଜା କମିଟିର ସଂପାଦକ ବ୍ରଜ କିଶୋର ଦାସ କୁହନ୍ତି।
ଗାନ୍ଧିପଡିଆ ମେଢ –
ଭଦ୍ରକ ସହରର ମଧ୍ୟସ୍ଥଳୀ ଐତିହାସିକ ଗାନ୍ଧିପଡିଆ ଠାରେ ୭୭ ବର୍ଷ ଧରି ମା’ ଦୁର୍ଗାଙ୍କ ପୂଜା ହୋଇଆସୁଛି। ଏହି ପଡିଆଟିର ପଶ୍ଚିମ ପାଶ୍ୱର୍ରେ ଥିବା ସାଳନ୍ଦୀ ନଦୀକୂଳର ଏକ ସିମୁଳି ଗଛ ମୂଳରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ପରେ ଏହା ସ୍ଥାନୀୟ ମଣ୍ଡପକୁ ଅଣାଯାଇ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ପାଳନ କରାଯାଉଛି ବୋଲି କୁହନ୍ତି କମିଟି ସଭାପତି ସୌମଭ କୁମାର ଦେ।
ସାଳନ୍ଦୀ ବାଇପାସ୍ ଦୁର୍ଗାପୂଜା-
ସାଳନ୍ଦୀ ବାଇପାସ ଠାରେ ୧୮ ବର୍ଷ ଧରି ପାଳିତ ହୋଇଆସୁଛି। ସ୍ଥାନୀୟ କାନ୍ତକବି ନଗର, ଗୋପବନ୍ଧୁ ନଗର ଅଂଚଳର ଯୁବଗୋଷ୍ଠୀଙ୍କ ଉଦ୍ୟମରେ ଏହି ପୂଜା ଆରମ୍ଭ କରାଯାଇଛି। ମା’ ଦୁର୍ଗାଙ୍କ ସହ ଅନ୍ୟାନ୍ୟ ଦେବାଦେବୀ ଓ ବାରୁଆଳୀ ନିର୍ମାଣ କରାଯିବା ସହ ସାଜସଜ୍ଜା ବେଶ୍ ଆକର୍ଷଣ ହୋଇଛି। ଏହି ଅଂଚଳର ଦୁର୍ଗାପୂଜା ନଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ସହଯୋଗରେ ଏଠାରେ ଦୁର୍ଗାପୂଜା ଆରମ୍ଭ କରାଯାଇଛି ବୋଲି କୁହନ୍ତି ପୂଜା କମିଟିର ସଭାପତି ଗୋପାଳ ଚନ୍ଦ୍ର ନାୟକ ଓ ସଂପାଦକ ଭବତୋଷ ଦାସ କୁହନ୍ତି।

SOURCE: ODIA PUA