Home national news oriya ସଡକ ସୁରକ୍ଷା କମିଟି ବୈଠକ ଏକ ପ୍ରହସନ,ସଡକ ଦୁର୍ଘଟଣା ୮ ମାସରେ ୯୪ ଜଣଙ୍କ ମୁଣ୍ଡ...

ସଡକ ସୁରକ୍ଷା କମିଟି ବୈଠକ ଏକ ପ୍ରହସନ,ସଡକ ଦୁର୍ଘଟଣା ୮ ମାସରେ ୯୪ ଜଣଙ୍କ ମୁଣ୍ଡ ନେଲାଣି

5
0

Source :- ODIA PUA

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରେ ସଡ଼କ ସୁରକ୍ଷା ସମିତିର ବୈଠକ ନିୟମିତ ଭାବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଛି।ପାରମ୍ପରିକ ଢଙ୍ଗରେ ସଡ଼କ ବ୍ୟବସ୍ଥାକୁ କିପରି ସୁଦୃଢ କରାଯିବ,ଦୁର୍ଘଟଣାକୁ କମାଇବା ଓ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯିବା ଚାରି କାନ୍ଥ ଭିତରେ ଆଲୋଚନା ହୋଇଥାଏ। ଜିଲ୍ଲାପାଳ ଏ ପ୍ରସଙ୍ଗରେ କିଛି ନିର୍ଦେଶ ଦେଇଥାନ୍ତି।ମିଟିଂର ଏକ ପ୍ରସିଡିଙ୍ଗ ମଧ୍ୟ ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଥାଏ।ବାସ୍ତବ ଚିତ୍ର ହେଲା ବୈଠକରେ ଯାହା ଆଲୋଚନା ହୁଏ ବା ଜିଲ୍ଲାପାଳ ଯେଉଁ ନିର୍ଦେଶ ଦେଇଥାନ୍ତି,ତାହା ଫିଲ୍ଡି ରେ କାର୍ଯ୍ୟକାରି ହୁଏ ନାହିଁ।ଅପରପକ୍ଷରେ ସଡ଼କ ପରିବହନ କର୍ତୃପକ୍ଷ ଏହି ବୈଠକରେ ଜିଲାରେ ପ୍ରତି ମାସର ସଡ଼କ ଦୁର୍ଘଟଣା ସମ୍ପର୍କିତ ଏକ ତଥ୍ୟଭିତିକ ରିପୋର୍ଟ ପ୍ରଦାନ କରି ବିଭାଗୀୟ ଦାୟିତ୍ୱ ସାରି ଦେଇଥାନ୍ତି। ବେଳେ ବେଳେ ସଡ଼କ ସୁରକ୍ଷା କିମ୍ବା ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଆଳରେ ସହରାଂଚଳର ବିଭିନ୍ନ ଛକ ମାନଙ୍କରେ ଜିଲ୍ଲା ପୁଲିସି ଓ ଆଂଚଳିକ ପରିବହନ ବିଭାଗପକ୍ଷରୁ ଚଢ଼ାଉ କରି ସରକାରଙ୍କ ପାଣ୍ଠି ବୃଦ୍ଧି କରି କାର୍ଯ୍ୟ ଦକ୍ଷତାକୁ ପ୍ରଶାସନ ନିକଟରେ ଉପସ୍ଥାପନା କରି ସଡ଼କ ସୁରକ୍ଷା ଦାୟିତ୍ୱ ତୁଲାଇଥାନ୍ତି। କେଉଁ କାରଣରୁ ପ୍ରତି ବର୍ଷ ଦୁର୍ଘଟଣା ବୃଦ୍ଧି ପାଉଛି ସେ ସମ୍ପର୍କରେ କମିଟର ସଦସ୍ୟ ମାନେ ନିଜ ମତପ୍ରକାଶ କରି ବୈଠକରେ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଉନାହିଁ। ଦ୍ରୁତ ଗତିରେ ଗାଡିଚାଳନା,ମଦ୍ୟ ପାନକରି ଗାଡି ଚାଳନା, ଗାଡି ଚାଳନା ସମୟରେ ମୋବାଇଲର ବ୍ୟବହାର ସଡ଼କ ଦୁର୍ଘଟଣା ର ମୁଖ୍ୟ କାରଣ ହୋଇଥିବାବେଳେ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରୁଛନ୍ତି। ଯାହାଫଳରେ ବେପରୁୱା ଗାଡି ଚାଳନା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନି ଘଟୁଛି। ଅପରପକ୍ଷରେ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ଅଧିକ ଅର୍ଥ ଉପାର୍ଜନ ପାଁଇ କେପାସିଟି ଠାରୁ ମାତ୍ରାଧିକ ଓଜନର ଯାତ୍ରୀ କିମ୍ବା ମାଲ ବହନ କରୁଥିବାରୁ ଭରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବାର ଅନେକ ଦୃଷ୍ଟାନ୍ତ ରହିଛି। ଏହି ବେଆଇନ ପରିବହନକୁ ଯଦି ବିଧିବଦ୍ଧ ଭାବେ ଯାଂଚ କରି ଜରିମାନା ଆଦାୟ କାରାଯାନ୍ତା ତେବେ ସରକାରଙ୍କ ଆୟ ବୃଦ୍ଧି ସଂଗେ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଆନ୍ତା।ଏହା ବ୍ୟତୀତ ସଡ଼କ ପଥ ଗୁଡିକର ଶୋଚନୀୟ ଅବସ୍ଥା ସହ ରାସ୍ତା ପାଶ୍ୱର୍ରେ ବେଆଇନ ପାର୍କିଙ୍ଗ ଟ୍ରାଫିକ ସଂକେତ ଗୁଡିକ ବିପଦ ସଂକୁଳ ସ୍ଥାନରେ ସ୍ଥାନିତ ନହେବା ସଡ଼କ ଦୁର୍ଘଟଣାର ଆଉ ଏକ କାରଣ। ଗତ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଆଂଚଳିକ ସଡ଼କ ପରିବହନ କର୍ତୃପକ୍ଷଙ୍କ ପକ୍ଷରୁ ଉପସ୍ଥାପିତ ରିପୋର୍ଟରୁ ଜଣାଯାଇଛି। ଜିଲା ସଡକ ପରିବହନ କର୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ୨୦୨୬ ଅଗଷ୍ଟ ସୁଦ୍ଧା ୧୮୫ ଟି ସଡକ ଦୁର୍ଘଟଣା ଘଟିଛି। ୯୪ ଜଣଙ୍କର ପ୍ରାଣହାନି ଘଟିଛି। ହେଲମେଟ୍ ପିନ୍ଧିନଥିବାରୁ ୨୫୬୭ ଜଣଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଛି। ୧୪୩ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ୧ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଦ୍ରୁତଗତିରେ ଗାଡି ଚଳାଥିବା ୪୧୩୭ ଙ୍କ ବିରୁଦ୍ଧରେ ଚାଲାଣ କଟାଯାଇଥିବାବେଳେ ୮୬ ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ୮ ଲକ୍ଷ ୨ ହଜାର ଜରିମାନା ଆଦାୟ କରାଯାଇଛି। ମଦ୍ୟପାନ କରି ଗାଡି ଚଳାଉଥିବା ୧୦୪ ଜଣଙ୍କ ବିରୁଦ୍ଧରେ ଚାଲାଣ କଟାଯାଇ ୪୭ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି। ୭୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଗାଡି ଚଳାଉଥିବା ସମୟରେ ମୋବାଇଲ୍ ବ୍ୟବହାର କରୁଥିବା ୨୫୨ ଜଣଙ୍କ ବିରୁଦ୍ଧେ ଚାଲାଣ କଟାଯାଇଛି, ୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ସହ ୪୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମାଲବାହୀ ଗାଡିରେ ଯାତ୍ରୀ ନେଉଥିବା ୬୯ ଙ୍କ ବିରୁଦ୍ଧେ ଚାଲାଣ କରାଯାଇ ୩୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା। ଓଭରଲୋଡିଂ ବାବଦରେ ୨୪ ଜଣ ଗାଡିର ଚାଲାଣ କଟାଯାଇ ୧୫ ଜଣଙ୍କ ଲାଇସେନ୍ସ ରଦ୍ଦ ସହ ୨ ଲକ୍ଷ ୭୨ ହଜାର ୨୨ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ବାଇକ୍‌ରେ ୩ ଜଣ ବସି ଯାଉଥିବା ଅବସ୍ଥାରେ ୧୬୯ ଜଣଙ୍କର ଚାଲାଣ କଟାଯାଇ ୪ ହଜାର ଟଙ୍କା ଜରିମାନା, ବିନା ସିଟ୍‌ବେଲ୍ଟରେ ଗାଡି ଚଳାଉଥିବା ୧୩୦ ଜଣଙ୍କର ଚାଲାଣ କଟାଯାଇ ୨୮ ହଜାର ଟଙ୍କା ଜରିମାନା, ରଙ୍ଗ ପାର୍କିଂ ବାବଦରେ ୨୯ ଜଣଙ୍କ ବିରୁଦ୍ଧରେ ଚାଲାଣ କଟାଯାଇ ୩୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୮ ବର୍ଷରୁ କମ୍ ନାବାଳକ ଗାଡି ଚଳାଉଥିବା ଘଟଣାରେ ୭ ଜଣଙ୍କ ବିରୁଦ୍ଧେ ଚାଲାଣ କଟାଯାଇ ୨୫ ହଜାର ଟଙ୍କା ଜରିମାନା ଓ ଅନ୍ୟାନ୍ୟ କେଶ୍ ବାବଦରେ ୮୧ ଲକ୍ଷ ୯୨ ହଜାର ୨୭୯ ଟଙ୍କା, ସମୁଦାୟ ୯୬ ଲକ୍ଷ ୮୧ ହଜାର ୮୦୧ ଟଙ୍କା ଜରିମାନା ଆଦାୟ କରାଯାଇଛି।

SOURCE: ODIA PUA