Source :- ODIA PUA
ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ନେଇ ଦିନକୁ ଦିନ ବଢୁଛି ଅଡୁଆ। ପ୍ରଥମ ପଦକ୍ଷେପ ସ୍ୱରୂପ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏଫ -୨ କାର୍ଯ୍ୟ ହୋଇ ନଥିବା ବେଳେ ଆଖୁଆପଦା ଜଳସମ୍ପଦ ବିଭାଗର ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ଙ୍କ ସହ ହାତ ମିଳାଇ ୩୮ଟି ମିଥ୍ୟା କାର୍ଯ୍ୟ ପାଇଁ ୨କୋଟି ଟଙ୍କା ବିଲ ପ୍ରଦାନ କଲେ।ଏହି ମିଥ୍ୟା କାର୍ଯ୍ୟକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଆଖୁଆପଦା ଅଧୀକ୍ଷଣଯନ୍ତ୍ରୀଙ୍କୁ ଏଫ-୨ କାର୍ଯ୍ୟର ସମସ୍ତ ତଥ୍ୟ ରଖିବାକୁ ନିର୍ଦେଶ ଦେଇଥିଲେ। ଦୀର୍ଘ ୧ ମାସ ପରେ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ଏହାର ଜବାବ କିଛି ରଖି ନଥିଲେ ।ପୁନଶ୍ଚ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏବଂ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ଚାନ୍ଦବାଲି ଠାରେ ୨୪ଟି କାର୍ଯ୍ୟ କୁ ତଦାରଖ ନକରି ଏବଂ ସଂପୃକ୍ତ ଏସଡିଓ ଙ୍କ ଚେକ ମେଜରମେଂଟ ଏବଂ ଦସ୍ତଖତ ବିନା ୨୪ଜଣ ଠିକାଦାରଙ୍କୁ ୨୪ କୋଟି ଟଙ୍କା ପ୍ରଦାନ କରିଦେଲେ।ଏହି କଥାକୁ ନେଇ ପୁନଶ୍ଚ ଭଦ୍ରକ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ ହେଲା। ଏହି ସମସ୍ତ କଥା ସାଧାରଣ ଜନତାଙ୍କ ମନରୁ ଲିଭି ନଥିବା ବେଳେ ଗତ ଜୁନ ୧୪ତାରିଖରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଚାନ୍ଦବାଲି ଜଳସମ୍ପଦ ବିଭାଗର ଏସଡିଓଙ୍କ ଅଫିସରେ ଥିବା ୩ଟି ସେକ୍ସନର ୮୦ଟନ ଲୁହାକୁ ଏକ କବାଡିଆକୁ ବିକ୍ରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରା ପଡିଥିଲେ। କେଉଁ ପରିସ୍ଥିତିରେ ଏହି ଲୁହା ବିକ୍ରି କରାଯାଉଥିଲା ବୋଲି ପଚାରିବାରୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଆଖୁଆପଦା ଅଧୀକ୍ଷଣଯନ୍ତ୍ରୀଙ୍କୁ ଅଙ୍ଗୁଳି ନିର୍ଦେଶ କରି ତାଙ୍କ ଇଙ୍ଗିତରେ ଏହି କାର୍ଯ୍ୟ ହେଉଥିବା କଥା କହିଥିଲେ। ପରେ ଏହି ଲୁହା ଚୋରୀ କଥାକୁ ନେଇ ସଂପୃକ୍ତ ଏସଡିଓ ସୁରଜ ମଲିକ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୨୩୦।୨୬ରେ ଏକ କେସ ରୁଜୁ ହୋଇଥିଲା।ଏହି ଖବର ପ୍ରସାରଣ ପରେ ଜଳସମ୍ପଦ ବିଭାଗର ଉପ ମୁଖ୍ୟଯନ୍ତ୍ରୀ ପ୍ରଣବ ନାୟକ ଆସି ଏହି ଚୋରୀ ଲୁହା ବିଷୟରେ ତଦନ୍ତ କରି ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏବଂ ଅଧୀକ୍ଷଣଯନ୍ତ୍ରୀଙ୍କୁ ଲିଖିତ ଭାବେ କୈଫତ ମାଗିଥିଲେ। ପରେ ଏହି ଚୋରୀ କେସରୁ ନିଜକୁ ଏବଂ କନିଷ୍ଠଯନ୍ତ୍ରୀଙ୍କୁ ମୁକୁଳାଇବାକୁ ଯାଇ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ଲୋକ ଲଜ୍ଜାକୁ ଭୟ କରି ଜୁନ ୧୬ତାରିଖ ରାତି ୧୨ଟାରେ ଆସି ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତିଙ୍କୁ ଭେଟି ଫେରିଥିଲେ। ଚାନ୍ଦବାଲି ଥାନାରେ ଏହି ଚୋରା ଲୁହା ବୋଝେଇ ଟ୍ରକ ଦୀର୍ଘ ୨୦ଦିନ ରହିବା ପରେ ଜୁଲାଇ ୨ତାରିଖ ରାତିରେ ଏହି ସମସ୍ତ ଚୋରୀ ଲୁହାକୁ ସଂପୃକ୍ତ ଜଳସମ୍ପଦ ବିଭାଗର ଏସଡିଓଙ୍କ ଅଫିସରେ ଅନଲୋଡ କରି ସଂପୃକ୍ତ ଟ୍ରକଟିକୁ ଟ୍ରକର ମାଲିକ ରିଲିଜ କରି ନେଇଛନ୍ତି। ଦିନକୁ ଦିନ ଚାନ୍ଦବାଲି ଜଳସମ୍ପଦ ବିଭାଗ ଜଣେ କନିଷ୍ଠଯନ୍ତ୍ରୀଙ୍କ ଆଚାର ବ୍ୟବହାରକୁ ନେଇ ନିନ୍ଦିତ ହୋଇ ପଡୁଥିବା ବେଳେ ବିଭାଗୀୟ ଅଧିକାରୀ କେବଳ ତଦନ୍ତ ଚାଲିଛି ବୋଲି କହି କଥାକୁ ଟାଳି ଚାଲିଛନ୍ତି। ଅନ୍ୟ ପକ୍ଷରେ ନିଜକୁ ନିର୍ଦୋଷ ବୋଲି କହୁଥିବା ଅଧୀକ୍ଷଣଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀ ରାତାରାତି କୋଟି ପତି ହେବା ଲକ୍ଷ୍ୟରେ ଜାଣିଶୁଣି ଏଭଳି ବିବାଦୀୟ ହୋଇ ପଡୁଛନ୍ତି ବୋଲି ଆମ୍ବେଦକର ମଂଚ ସଭାପତି ପ୍ରଫୁଲ ଦାସ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ତଥ୍ୟକୁ ନେଇ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ନିଜ ଉତରରେ ସବୁ ଠିକ ଚାଲିଛି ବୋଲି କହିଥିବା ବେଳେ ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲଙ୍କୁ ପଚାରିବାରୁ ସେ ତଦନ୍ତ ଚାଲିଛି ବୋଲି ଉତର ରଖିଥିଲେ। ସେହିପରି ଜଳସମ୍ପଦ ବିଭାଗର ଉପ ମୁଖ୍ୟଯନ୍ତ୍ରୀ ପ୍ରଣବ ନାୟକ ତଦନ୍ତ କରିବାକୁ ଆସିଥିବା ବେଳେ କଣ ତଦନ୍ତ କଲେ ବୋଲି ପଚାରିବାରୁ ସେ ସମସ୍ତ ତଥ୍ୟ ହାସଲ କରିଛନ୍ତି ଏବଂ ଏହି ବିଷୟରେ ସେ ଏକ ରିପୋର୍ଟ ପ୍ରସ୍ତୁତ କରି ଜଳସମ୍ପଦ ବିଭାଗର ଯନ୍ତ୍ରୀମୁଖ୍ୟଙ୍କୁ ପ୍ରଦାନ କରିଛନ୍ତି ବୋଲି କହିଥିଲେ। ମାତ୍ର ଏହି ସମସ୍ତ ଘଟଣା ଚାନ୍ଦବାଲି ଜଳସମ୍ପଦ ବିଭାଗର ଏସଡିଓଙ୍କ ସୁରଜ ମଲିକଙ୍କ ଅଫିସରେ ଘଟୁଥିବା ବେଳେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ସଂପୃକ୍ତ କନିଷ୍ଠଯନ୍ତ୍ରୀ ସମସ୍ତଙ୍କ ଅଗୋଚରରେ ଏହି ଲୁହା ବିକ୍ରି , ଏଫ-୨ କାର୍ଯ୍ୟରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ୨କୋଟି ଟଙ୍କା ପ୍ରଦାନ ଏବଂ ୨୪ଟି କାର୍ଯ୍ୟ ଯାହାର ଆନୁମାନିକ ମୁଲ୍ୟ ୨୪କୋଟି ସେହି ସମସ୍ତ କାର୍ଯ୍ୟ ଏସଡିଓଙ୍କ ବିନା ଚେକ ମେଜମେଂଟରେ ସେମାନଙ୍କୁ କିପରି ଭାବେ ଦେୟ ପ୍ରଦାନ କରାଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏହି ସମସ୍ତ କାର୍ଯ୍ୟକୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତରିତ କରାଯାଇଛି । ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଭିଜିଲାନ୍ସ ଏକ ଟିମ ଆସି ୨ଥର ଏହି ସମସ୍ତ କାର୍ଯ୍ୟକୁ ଦେଖି ତଦନ୍ତ କରିଥିବା ବେଳେ କେବେ ଏହାର ସୁଫଳ ମିଳିବ ଅଥବା ବିଭାଗୀୟ ଅଧିକାରୀଙ୍କ ମତାନୁଯାଇ ତଦନ୍ତ ଚାଲିଛିରେ ଅଟକିଛି ତଦନ୍ତ ବୋଲି ନାଲି ଫାଇଲରେ ଚାପି ହୋଇଯିବ ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
SOURCE: ODIA PUA




