Source :- ODIA PUA
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜୀବିତ ମା’ଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ଜମି ଓ ଘର ଦୁଇ ପୁଅଙ୍କ ନାମରେ କରାଯାଇଥିବା ଅଭିଯୋଗକୁ ନେଇ ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଆଇଶା ବିବି। ଘଟଣାରେ ସମ୍ପୃକ୍ତ ଧାମନଗର ଆରଆଇ ପ୍ରକାଶ ମଲ୍ଲିକ ଓ ତାଙ୍କ ଦୁଇ ପୁଅ ଓ ବୋହୂଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଧାମନଗର ଥାନା ହବିବନଗର ଅଂଚଳର ଆଇଶା ବିବି ୨୦୨୩ ମସିହାରେ ତୀର୍ଥଯାତ୍ରାରେ ଯାଇଥିବା ସମୟରେ ତାଙ୍କ ଦୁଇ ପୁଅ ମା’ଙ୍କର ପ୍ରାୟ ୪୦ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିବା ଦର୍ଶାଇ ସତ୍ୟପାଠ କରିଥିଲେ। ଏହାପରେ ସମ୍ପୃକ୍ତ ଆରଆଇ ପ୍ରକାଶ ମଲ୍ଲିକ୍ ତଦନ୍ତ ନକରି ଆଇଶା ମୃତ ବୋଲି ରିପୋର୍ଟ ଦେଇଥିବା ଏବଂ ଉକ୍ତ ରିପୋର୍ଟ ଆଧାରରେ ଆଇଶାଙ୍କ ଘର ଓ ଜମି ଦୁଇ ପୁଅଙ୍କ ନାମରେ କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଗତ ମାସ ୧୦ ତାରିଖରେ ଆଇଶା ଧାମନଗର ଥାନାରେ ତାଙ୍କ ଦୁଇ ପୁଅ, ଦୁଇ ବୋହୂ ଓ ସମ୍ପୃକ୍ତ ଆରଆଇଙ୍କ ବିରୋଧରେ ଏତଲା ଦେଇଥିଲେ। ତେବେ ପୁଲିସ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଓ ଏତଲା ଗ୍ରହଣର ୧୮ଦିନ ପର୍ୟ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କି ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ କରି ସେ ଶୁକ୍ରବାର (ଆଜି)ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆଇଶା କହିଛନ୍ତି, ଜୀବିତ ଥିବା ସତ୍ୱେ ତାଙ୍କୁ ମୃତ ଦର୍ଶାଇ ଜମି ଓ ଘର ହଡ଼ପ କରାଯାଇଛି। ତେଣୁ ତାଙ୍କ ସମ୍ପତି ପୁନର୍ବାର ତାଙ୍କ ନାମରେ କରାଯିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଏସ୍ପି ମନୋଜ ରାଉତ ଘଟଣାକୁ ଗୁରୁତ୍ୱର ସହ ନେଇ ଦୁଇ ପୁଅଙ୍କୁ ଗିରଫ କରିବାକୁ ଧାମନଗର ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆରଆଇ ପ୍ରକାଶ ମଲ୍ଲିକଙ୍କ ନାମରେ ମାମଲା ରୁଜୁ ହୋଇଥିବା ନେଇ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଛି ଓ ତାଙ୍କ ବିରୋଧରେ ମଧ୍ୟ ଶିଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହାପରେ ଆଇଶାଙ୍କ ବଡ଼ ପୁଅ ସେକ୍ ତଫିକ୍ଙ୍କୁ ଧାମନଗର ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି। ପୁଲିସ ପକ୍ଷରୁ ସମସ୍ତଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ପ୍ରାୟ ୩ଟାରେ ଆଇଶା ଧାରଣାରୁ ଉଠିଥିଲେ।
SOURCE: ODIA PUA




