Home national news oriya ଧାମନଗର ବ୍ଲକରେ ଅସୁରକ୍ଷିତ ସରକାରୀ କର୍ମଚାରୀ, ଆର.ଆଇ. ଅଫିସରେ ହଙ୍ଗାମା, ଚିରାଗଲା ସରକାରୀ କାଗଜପତ୍ର, ରାଜସ୍ୱ...

ଧାମନଗର ବ୍ଲକରେ ଅସୁରକ୍ଷିତ ସରକାରୀ କର୍ମଚାରୀ, ଆର.ଆଇ. ଅଫିସରେ ହଙ୍ଗାମା, ଚିରାଗଲା ସରକାରୀ କାଗଜପତ୍ର, ରାଜସ୍ୱ ନିରୀକ୍ଷକଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ ଅଭିଯୋଗ; ଧୁଷୁରି ଥାନାରେ ମାମଲା

2
0

Source :- ODIA PUA

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ସରକାରୀ କାର୍ଯ୍ୟାଳୟରେ କର୍ତବ୍ୟରତ ଅଧିକାରୀଙ୍କୁ ଦୁର୍ବ୍ୟବହାର, ସରକାରୀ କାଗଜପତ୍ର ନଷ୍ଟ ଓ ଆକ୍ରମଣ ଉଦ୍ୟମ ଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଧୁଷୁରି ଥାନା ଅନ୍ତର୍ଗତ ରଇପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଘଟିଥିବା ଏହି ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖ ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟ୍‌ରେ ରଇପୁର ଆର.ଆଇ. କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଶକ୍ତି ରଞ୍ଜନ ମଲ୍ଲିକ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିଲେ। ଏହି ସମୟରେ ରଇପୁର ଅଂଚଳର ବସନ୍ତ କୁମାର ରାଉତ ସେଠାରେ ପହଂଚି ଉତ୍ୟକ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ କାର୍ଯ୍ୟାଳୟରେ ଥିବା ସରକାରୀ କାଗଜପତ୍ର ଚିରି ନଷ୍ଟ କରିବା ସହ ଆର.ଆଇ.ଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ନେଇ ରାଜସ୍ୱ ନିରୀକ୍ଷକ ଶକ୍ତି ରଞ୍ଜନ ମଲ୍ଲିକ ଧୁଷୁରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ କେସ୍ ନଂ ୪୬୯/୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୬, ୨୨୧, ୩୨୪(୪) ଓ ୩୫୧(୨) ଅନୁଯାୟୀ ମାମଲା ରୁଜୁ କରିଛି। ଏ.ଏସ୍‌.ଆଇ. ବୈଷ୍ଣବ କୁମାର ତ୍ରିପାଠୀ ମାମଲାର ତଦନ୍ତ କରୁଛନ୍ତି। ସରକାରୀ କାର୍ଯ୍ୟାଳୟ ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏଠାରେ କର୍ତବ୍ୟରତ କର୍ମଚାରୀଙ୍କୁ ଧମକ, ଦୁର୍ବ୍ୟବହାର କିମ୍ବା ସରକାରୀ ଦସ୍ତାବିଜ୍ ନଷ୍ଟ କରିବା ଭଳି ଅଭିଯୋଗ ଉଠିବା ପ୍ରଶାସନିକ ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ସରକାରୀ କର୍ମଚାରୀଙ୍କୁ ନିର୍ଭୟରେ କାର୍ଯ୍ୟ କରିବାର ପରିବେଶ ଯୋଗାଇବା ସହ କାର୍ଯ୍ୟାଳୟଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ଉଠୁଛି। ତେବେ ଘଟଣାର ପ୍ରକୃତ କାରଣ ଓ ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

SOURCE: ODIA PUA