Source :- ODIA PUA
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳର ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ପରିସରରେ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବା (ର.ଅ)ଙ୍କ ୧୨ତମ ବାର୍ଷିକ “ଫାତେହା’ ଉତ୍ସବ ପାଳନ ପାଇଁ “ଗୁଲସନେ ଗୌସପାକ ଟ୍ରଷ୍ଟ’ ପକ୍ଷରୁ ଗତକାଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଟ୍ରଷ୍ଟର ସଭାପତି ହାଜି ହାଫିଜ଼ ଶେଖ ମହମ୍ମଦ ଇଶହାକଙ୍କ ସଭାପତିତ୍ୱ ଓ ସମ୍ପାଦକ ଶେଖ ଅତା ମୋହିଦ୍ଦିନଙ୍କ ସଂଯୋଜନାରେ ଚଳିତ ସେପ୍ଟେମ୍ବର ମାସ ୨୪ ତାରିଖରେ ଏହି ଫାତେହା ଉତ୍ସବ ପାଳନ ହେବାକୁ ଟ୍ରଷ୍ଟ ପକ୍ଷରୁ ଉକ୍ତ ବୈଠକରେ ନିଷ୍ପତି କରାଗଲା । ୨୩ ତାରିଖ ବୁଧୁବାର ଅପରାହ୍ନ ୪ ଟାରୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଗୁଲସନେ ଗୌସପାକ ଟ୍ରଷ୍ଟ ଖାନକାହା ଠାରେ ବାର୍ଷିକ “ଫାତେହା’ ଉତ୍ସବ ପାଇଁ ଫଳ ସାମଗ୍ରୀ ପହଂଚାଇବେ ଏବଂ ରାତ୍ରି ୧୧ ଘଟିକାରୁ ଫଳ ସାମଗ୍ରୀ କଟା ଆରମ୍ଭ ହେବ । ଅର୍ଦ୍ଧରାତ୍ରିରୁ ବାବାଙ୍କ ଗୋସଲଖାନୀ (ସ୍ନାନ) ଆରମ୍ଭ ହେବ । ୨୪ ତାରିଖ ଗୁରୁବାର ସକାଳ ନମାଜ ପାଠ ପରେ କୁରାନ ପାଠ, ମିଲାଦ ସରିଫ ଓ ଫାତେହାର ଆୟୋଜନ କରାଯିବ । ଫାତେହା ସରିଲା ପରେ ବାବାଙ୍କ ଭକ୍ତମାନଙ୍କୁ ଶିରିଣୀ (ଭୋଗ ବଂଟନ) କରାଯିବ । ସକାଳରୁ ବାବାଙ୍କ ସମାଧିଠାରେ ବାବାଙ୍କ ଭକ୍ତମାନେ ଚାଦର ଚଢାଇ ଦର୍ଶନ କରିପାରିବେ। ଏହି ଫାତେହା ଉତ୍ସବରେ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ବାବାଙ୍କ ଭକ୍ତମାନେ ଯୋଗଦାନ କରିବେ । ଶାନ୍ତିଶୃଙ୍ଖଳା ସହିତ ଫାତେହା ଉତ୍ସବ ପାଳନ କରିବାକୁ ଗୁଲସନେ ଗୌସପାକ ଟ୍ରଷ୍ଟ ପକ୍ଷରୁ ବାବାଙ୍କ ଭକ୍ତ ମାନଙ୍କୁ ନିବେଦନ କରିଛନ୍ତି ।
SOURCE: ODIA PUA




