Home national news oriya ବନ୍ୟା ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ ,ଭଦ୍ରକର ସୁଦର୍ଶନପୁରରେ ଶୋକର ଛାୟା

ବନ୍ୟା ପାଣିରେ ବୁଡ଼ି ଚାଷୀଙ୍କ ମୃତ୍ୟୁ ,ଭଦ୍ରକର ସୁଦର୍ଶନପୁରରେ ଶୋକର ଛାୟା

3
0

Source :- ODIA PUA

ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ବିପର୍ଯ୍ୟୟରେ ଜର୍ଜରିତ ଭଦ୍ରକ ଜିଲ୍ଲାରୁ ଆସିଛି ଆଉ ଏକ ଅତ୍ୟନ୍ତ ଦୁଃଖଦ ଖବର। ବାସୁଦେବପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ଗାଁରେ ବନ୍ୟା ପାଣିରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଅଭିମନ୍ୟୁ ମଳିକ। ବନ୍ୟା ପାଣି କିଛିଟା କମିବା ପରେ ନିଜ ଧାନ ତଳିର ଅବସ୍ଥା ଦେଖିବାକୁ ଯାଇଥିବା ବେଳେ ସେ ଅଘଟଣର ଶିକାର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଭୋର ସମୟରେ ଅଭିମନ୍ୟୁ ମଳିକ ଘରୁ ବାହାରି ନିଜ ଚାଷଜମି ଆଡ଼କୁ ଯାଇଥିଲେ। ରାସ୍ତା କଡ଼ରେ ସେ ନିଜ ସାଇକେଲ ଓ ଚପଲ ରଖି ଦୂବନାଳୀ ପାର ହୋଇ ଧାନ ତଳି ଦେଖିବାକୁ ଯାଇଥିଲେ। ସେତେବେଳେ କ୍ଷେତରେ ପ୍ରାୟ ପାଂଚ ଫୁଟ ଉଚ୍ଚତାର ବନ୍ୟା ପାଣି ଜମି ରହିଥିଲା। ଏହି ପାଣି ଭିତରକୁ ପଶି ଧାନ ତଳି ପରୀକ୍ଷା କରୁଥିବା ବେଳେ ତାଙ୍କ ଗୋଡ଼ କାଦୁରେ ଫସି ଯାଇଥିବା ସନ୍ଦେହ କରାଯାଉଛି। ଫଳରେ ସେ ପାଣିରୁ ବାହାରି ପାରିନଥିଲେ ଏବଂ ବୁଡ଼ି ଯାଇଥିଲେ। ଅଭିମନ୍ୟୁ ଦୀର୍ଘ ସମୟ ଧରି ଘରକୁ ଫେରି ନଆସିବାରୁ ପରିବାର ଲୋକ ଚିନ୍ତିତ ହୋଇ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଜାଖୋଜି ବେଳେ ରାସ୍ତା କଡ଼ରେ ତାଙ୍କ ସାଇକେଲ ଓ ଚପଲ ପଡ଼ିଥିବା ଦେଖି ସନ୍ଦେହ ବଢ଼ିଥିଲା। ଏହାପରେ ତୁରନ୍ତ ବାସୁଦେବପୁର ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ବନ୍ୟା ପାଣି ଭିତରେ ବ୍ୟାପକ ଖୋଜାଖୋଜି କରିଥିଲେ। ବେଶ କିଛି ସମୟର ଉଦ୍ୟମ ପରେ କ୍ଷେତରେ ଜମିଥିବା ପାଣି ଭିତରୁ ଅଭିମନ୍ୟୁ ମଳିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ପରେ ସମଗ୍ର ଅଂଚଳରେ ଶୋକର ପରିବେଶ ସୃଷ୍ଟି ହୋଇଥିଲା। ପରେ ପୁଲିସ ଓ ସମ୍ପୃକ୍ତ ପ୍ରଶାସନିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣା ସୁଦର୍ଶନପୁର ଗାଁ ସମେତ ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ସମ୍ପ୍ରତି ବନ୍ୟାରେ ଅଭିମନ୍ୟୁଙ୍କ ପରିବାରର ଚାଷଜମି ଓ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ବର୍ତମାନ ପରିବାରର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ସେମାନେ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଏବଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ବନ୍ୟା ପରିସ୍ଥିତିରେ କ୍ଷେତ ଓ ଜଳାବଦ୍ଧ ଅଂଚଳକୁ ଯିବା ସମୟରେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

SOURCE: ODIA PUA