Home national news oriya ଆଦର୍ଶ ଶିକ୍ଷକ ଭୀମଚରଣ ପରିଡ଼ାଙ୍କ ଗୀତିକା ‘କିଛି ଲୋକ ରାଣଖାଇ’ ଉନ୍ମୋଚିତ, ସଂସ୍କୃତି, ସାହିତ୍ୟ ଓ...

ଆଦର୍ଶ ଶିକ୍ଷକ ଭୀମଚରଣ ପରିଡ଼ାଙ୍କ ଗୀତିକା ‘କିଛି ଲୋକ ରାଣଖାଇ’ ଉନ୍ମୋଚିତ, ସଂସ୍କୃତି, ସାହିତ୍ୟ ଓ ସଙ୍ଗୀତ ପ୍ରତି ଅବଦାନକୁ ପ୍ରଶଂସା

3
0

Source :- ODIA PUA

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷାଦାନ ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ଭଲ ପାଇ ନିଜ ସୃଜନଶୀଳତାର ପରିଚୟ ଦେଇଆସୁଥିବା ଆଦର୍ଶ ଶିକ୍ଷକ ତଥା ସାହିତ୍ୟପ୍ରେମୀ ଭୀମଚରଣ ପରିଡ଼ାଙ୍କ ଏକ ନୂତନ ଗୀତିକା ଆଧାରିତ ମ୍ୟୁଜିକ୍ ଭିଡିଓ ‘କିଛି ଲୋକ ରାଣଖାଇ’ ଉନ୍ମୋଚିତ ହୋଇଛି। ଭୀମଚରଣ ପରିଡ଼ା ଜଣେ ଶିକ୍ଷକ ଭାବେ ଶିକ୍ଷାଦାନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିବା ବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ ରହିଛି। ବିଶେଷକରି ଛନ୍ଦଯୁକ୍ତ କବିତା ରଚନା କ୍ଷେତ୍ରରେ ତାଙ୍କର ରୁଚି ତାଙ୍କୁ ଜଣେ ସ୍ୱତନ୍ତ୍ର ପ୍ରତିଭା ଭାବେ ପରିଚିତ କରାଇଛି। ତାଙ୍କ ରଚିତ ଛନ୍ଦଯୁକ୍ତ କବିତାଗୁଡ଼ିକ ଭାବପୂର୍ଣ୍ଣ, ଶ୍ରୁତିମଧୁର ଓ ଚିତାକର୍ଷକ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ‘ଆରେମ୍ ସମ୍ପର୍କନ ମ୍ୟୁଜିକ୍‌’ ନିବେଦିତ ଏହି ଗୀତିକାର ମ୍ୟୁଜିକ୍ ଭିଡିଓ ଉନ୍ମୋଚନ ଅବସରରେ ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୃଷି କବି ଅରୁଣ କୁମାର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଙ୍ଗୀତ ଓ ସାହିତ୍ୟର ସାମାଜିକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଡ. ଖୀରାପ୍ତି ତନୟା ସାହୁ, ଶେଖର ଚନ୍ଦ୍ର ଜେନା, ଚନ୍ଦ୍ରମଣି ମାଝୀ ଓ ରୁଦ୍ରମାଧବ ବାରିକଙ୍କ ସମେତ ବହୁ ସାହିତ୍ୟପ୍ରେମୀ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ। ସନାତନ ନାୟକଙ୍କ ସହଯୋଗିତାରେ ଏବଂ ତାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା। ବକ୍ତାମାନେ କହିଥିଲେ ଯେ, ସଙ୍ଗୀତ ମଣିଷର ମନକୁ ଛୁଇଁବା ସହିତ ତାକୁ ଭାବନାର ଏକ ନୂତନ ଦିଗ ଦେଇଥାଏ। ଜୀବନର ପ୍ରତ୍ୟେକ ସ୍ତରରେ ସଙ୍ଗୀତର ଗୁରୁତ୍ୱ ରହିଛି। ଆବାଳବୃଦ୍ଧବନିତାଙ୍କ ମନକୁ ଆନନ୍ଦ ଦେବା ସହିତ ସମାଜରେ ସକାରାତ୍ମକ ଚେତନା ସୃଷ୍ଟି କରିବାରେ ସଙ୍ଗୀତର ଭୂମିକା ଅନସ୍ୱୀକାର୍ଯ୍ୟ। ଭୀମଚରଣ ପରିଡ଼ାଙ୍କ ଛନ୍ଦଯୁକ୍ତ କବିତାକୁ ଗୀତର ରୂପ ଦେଇ ମ୍ୟୁଜିକ୍ ଭିଡିଓ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ଏକ ପ୍ରଶଂସନୀୟ ପ୍ରୟାସ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ରୁଦ୍ରମାଧବ ବାରିକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ମ୍ୟୁଜିକ୍ ଭିଡିଓ ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଦର୍ଶକ ଓ ଶ୍ରୋତାଙ୍କ ମନ ଜିଣିବ ବୋଲି ବକ୍ତାମାନେ ଆଶାବ୍ୟକ୍ତ କରିଥିଲେ। ଶିକ୍ଷା ସହିତ ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତକୁ ଏକାଠି କରି ଭୀମଚରଣ ପରିଡ଼ା ଯେଉଁ ସୃଜନଶୀଳ ପ୍ରୟାସ କରିଛନ୍ତି, ତାହା ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଗଭୀର ଭଲପାଇବାର ଏକ ନିଆରା ଉଦାହରଣ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

SOURCE: ODIA PUA